ମଧ୍ୟସ୍ଥ ଆଗରେ, ପ୍ରଶାସନ ପଛରେ

ବଲାଙ୍ଗୀର ଅଫିସ, ୨ା୧୨: ବଲାଙ୍ଗୀର ଜିଲାରେ ଗତ ନଭେମ୍ବର ୧୮ରୁ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାସ୍ତରୀୟ ଧାନକ୍ରୟ କମିଟି (ଡିଏଲ୍‌ପିସି) ବୈଠକରେ ଜିଲାର ଚାଷୀମାନେ ମଣ୍ଡି ଓ ଏସ୍‌ଏଚ୍‌ଜି ଜରିଆରେ ଧାନର ଉଚିତ ମୂଲ୍ୟ ଯେପରି ପାଇପାରିବେ, ସେ ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଚାଷୀ ଯେପରି ଧାନର ଅଭାବୀ ବିକ୍ରି କି ମଧ୍ୟସ୍ଥର ଶିକାର ହେବନାହିଁ, ସେନେଇ ଆଲୋଚନା ହୋଇଥିଲା। ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯେପରି ମିଳିବ ସେନେଇ ସୁନିଶ୍ଚିତ କରିବାକୁ ଜୋର ଦିଆଯାଇଥିଲା। ଧାନସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ପରିଚାଳନା କରିବାକୁ ପ୍ରଶାସନ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରୁ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। ହେଲେ ଧାନକିଣା ଆରମ୍ଭରୁ ପ୍ରଶାସନର ଢିଲାପଣ ସ୍ପଷ୍ଟ ଦେଖାଗଲାଣି।
ପ୍ରଶାସନର ବହୁ ପୂର୍ବରୁ ମଧ୍ୟସ୍ଥମାନେ ସକ୍ରିୟ ହୋଇଗଲେଣି। ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଢ଼େର କମ୍‌ ଦରରେ କିଣିନେଇ ନିଜସ୍ବ ଗୋଦାମରେ ମହଜୁଦ କରି ରଖିଲେଣି। ଗଁା ଗଁାରେ ଏବେ ମଧ୍ୟସ୍ଥ ବା ଦଲାଲମାନେ ସକ୍ରିୟ ରହି ଚାଷୀଙ୍କଠାରୁ କମ୍‌ଦରରେ ଧାନ କିଣି ନେଉଥିବା ଖବର ମିଳୁଛି। ବିଶେଷକରି ଜିଲାର ପୁଇଁନ୍ତଲା, ଟିଟିଲାଗଡ, କଣ୍ଟାବାଞ୍ଜି, ବେଲପଡା ଓ ପାଟଣାଗଡ ବ୍ଲ୍ଳକ ଅଞ୍ଚଳରେ ମଧ୍ୟସ୍ଥ ସକ୍ରିୟ ହୋଇପଡିଛନ୍ତି। ସେମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ସମାନ୍ତରାଳ ଧାନକିଣାକୁ ସୁରୁଖୁରୁରେ ଚଳାଇଛନ୍ତି। କୁଇଣ୍ଟାଲ ପିଛା ୧୨ରୁ ୧୩ ଶହ ଟଙ୍କା ଦରରେ ଧାନ କିଣି ନେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ଚଳିତବର୍ଷ ଜିଲାର ୧୫୮ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୧୬ଟି ଏସ୍‌ଏଚ୍‌ଜି ମଣ୍ଡି ଜରିଆରେ ଧାନକିଣା ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଜିଲାରେ ୮୦ଟି ପ୍ୟାକ୍ସରେ ଧାନକିଣା ଆରମ୍ଭ ହୋଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮୦ଟି ପ୍ୟାକ୍ସରେ ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୧ ହଜାର ୫୫୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ତେବେ ଜିଲାରେ ଆଉ ୯୪ଟି ମଣ୍ଡି ଏ ପର୍ଯ୍ୟନ୍ତ ଖୋଲିନାହିଁ। ଚଳିତବର୍ଷ ଜିଲାରେ ୬୬ ହଜାର ୭୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସମସ୍ତ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଟୋକନ୍‌ ଇସ୍ୟୁ ହୋଇପାରିନାହିଁ। ଟୋକନ୍‌ ଇସ୍ୟୁ କିଭଳି ହେଉଛି ଓ କେବେ ହେଉଛି ସେକଥା ଜାଣିବା ଚାଷୀକୁ ସହଜ ହେଉନାହିଁ। ଭୁବନେଶ୍ୱରରୁ ସିଧାସଳଖ ଅନ୍‌ଲାଇନ୍‌ ଜରିଆରେ ଚାଷୀଙ୍କ ଟୋକନ୍‌ ଇସ୍ୟୁ ହେଉଥିବାରୁ ଜିଲାରେ ବାସ୍ତବରେ ଏଯାବତ୍‌ କେତେ ଚାଷୀଙ୍କୁ ଟୋକନ୍‌ ମିଳିଛି ସେଇ ତଥ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ପାଖରେ ନ ଥିବା କହୁଛନ୍ତି। ଏହି ବ୍ୟବସ୍ଥା ମଧ୍ୟସ୍ଥଙ୍କୁ ସୁହାଉଛି। ପୁଇଁତଲା ବ୍ଳକର ମହୀମୁଣ୍ଡା ଅଞ୍ଚଳରେ ମଧ୍ୟସ୍ଥମାନେ କୁଇଣ୍ଟାଲ ପିଛା ୧୨ରୁ ୧୩ ଶହ ଟଙ୍କା ଦେଇ ଚାଷୀଙ୍କଠାରୁ ଧାନ କିଣିନେଉଛନ୍ତି। କେତେଜଣ ପ୍ୟାକ୍ସ ସମ୍ପାଦକ ଓ ମିଲର୍ସ ଏହି ମଧ୍ୟସ୍ଥମାନଙ୍କ ମୁଖ୍ୟ କାର୍ପଟଦାର ସାଜିଥିବା ଅଭିଯୋଗ ହେଉଛି। ଏ ପର୍ଯ୍ୟନ୍ତ ଜିଲାର କୌଣସି ମିଲର୍ସ ମଣ୍ଡିରୁ ଧାନ ଉଠାଇନାହାନ୍ତି। ମାତ୍ର ମଧ୍ୟସ୍ଥମାନେ ଚାଷୀଙ୍କଠାରୁ ଧାନ ଉଠାଇ ନେଲେଣି। ପ୍ରଶାସନ ସ୍ବତନ୍ତ୍ର ଟିମ୍‌ ଗଠନ କରି ଏହି ସ୍ଥାନରେ ଚଢ଼ାଉ କଲେ ଚାଲାଣ ପାଇଁ ରଖାଯାଇଥିବା ବେଆଇନ ଧାନ ଜବତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦିଲୀପ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ଏ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଆଉ ମାତ୍ର ଅଳ୍ପ ଦିନ ମଧ୍ୟରେ ଜିଲାର ସମସ୍ତ ମଣ୍ଡି ଓ ଏସ୍‌ଏଚ୍‌ଜିରେ ଧାନକିଣା ଜୋର ଧରିବ। ଆଉ କୌଣସି ଚାଷୀ ମଧ୍ୟସ୍ଥଙ୍କୁ ଧାନ ବିକିବେ ନାହିଁ ବୋଲି ସେ କହିଛନ୍ତି।