Categories: ଫୁରସତ

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ; ଖବରଦାତା ପଢ଼ିଲେ ମନ୍ତ୍ର

କୈମୁର, ୨୩।୮: ବିହାର କୈମୁର ଜିଲାର ଏକ ପୋଲିସ ଷ୍ଟେସନରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଦୁର୍ଗାବତୀ ବ୍ଲକର ଏହି ପ୍ରେମୀ ଯୁଗଳ ଗତ ୨ ବର୍ଷ ହେବ ପରସ୍ପରକୁ ଭଲପାଇ ଆସୁଥିଲେ। କିନ୍ତୁ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ଏଥିରେ ସହମତି ନ ଥିଲେ। ଫଳରେ ପାରିବାରିକ ଚାପ ଯୋଗୁ ଏହି ପ୍ରେମୀ ଯୁଗଳଙ୍କ ବିବାହ ସମ୍ଭବପର ହୋଇପାରି ନ ଥିଲା। ଏଭଳି ପରିସ୍ଥିତିରେ ଯୁବତୀଜଣଙ୍କ ଯେତେବେଳେ ଦେଖିଲେ ପରିବାର ସଦସ୍ୟ ତାଙ୍କୁ ବିବାହ କରିବେ ନାହିଁ ତେଣୁ ସେ ବାଧ୍ୟ ହୋଇ ପୋଲିସର ସହାୟତା ନେଇଥିଲେ। ଶନିବାର ଯୁବତୀଜଣଙ୍କ ଥାନାରେ ପହଞ୍ଚି ଯୁବକଙ୍କ ସହିତ ତାଙ୍କ ବିବାହ କରାଇଦେବାକୁ ଥାନା ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ। ଏଭଳି ପରିସ୍ଥିତିରେ ଥାନା ଅଧିକାରୀ ଉଭୟ ପରିବାରର ସଦସ୍ୟଙ୍କୁ ଡକାଇ ପ୍ରେମୀ ଯୁଗଳଙ୍କ ବିବାହ କରାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି ପଣ୍ଡିତ ନ ମିଳିବାରୁ ଘଟଣାସ୍ଥଳରେ ଉପସ୍ଥିତ ଥିବାଜଣେ ଖବରଦାତା ମନ୍ତ୍ର ଉଚାରଣ କରିଥିଲେ। ଏହାପରେ ଏହି ପ୍ରେମୀ ଯୁଗଳଙ୍କ ବିବାହ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ଏଭଳି ବିବାହକୁ ନେଇ ଏବେ ଚାରିଆଡ଼େ ବେଶ୍‌ ଚର୍ଚ୍ଚା ହୋଇଛି।

Share