Categories: ବାଣିଜ୍ୟ

ଅଷ୍ଟ୍ରେଲିଆରେ ନାମ ବଦଳାଇଲା ଆଦାନୀ ମାଇନିଂ

ନୂଆଦିଲ୍ଲୀ: ଆଦାନୀ ମାଇନିଂ ଏହାର ନାମକୁ ପରିବର୍ତ୍ତନ କରି ବ୍ରାଭୁସ୍‌ ମାଇନିଂ ଆଣ୍ଡ ରିସୋର୍ସେସ ରଖିଛି। ଅଷ୍ଟ୍ରେଲିଆରେ ଏହି କମ୍ପାନୀର ୧୦ ବର୍ଷ ପୂର୍ତ୍ତି ଅବସରରେ ଏଭଳି ନୂଆ ନାମ ରଖାଯାଇଛି। ସେଠାକାର ସେଣ୍ଟ୍ରାଲ କ୍ୱିନ୍ସଲାଣ୍ଡସ୍ଥିତ କାର୍ମିସେଲ ଥର୍ମାଲ ମାଇନିଂକୁ ନେଇ ଆଦାନୀ ବିବାଦୀୟ ହୋଇପଡିଥିଲା। ନାମ ପରିବର୍ତ୍ତନ ପରେ ଏହାକୁ ନେଇ ବିଶେଷଜ୍ଞମାନେ ଆପତ୍ତି ଉଠାଇଛନ୍ତି। ବ୍ରାଭୁସ୍‌ ନାମକୁ କମ୍ପାନୀ ବ୍ରେଭ୍‌ ବୋଲି ବିବେଚନା କରୁଛି। ମାତ୍ର ଏହି ନାମ ନକାରାତ୍ମକ ଅର୍ଥକୁ ସୂଚାଉଥିବା କେତେଜଣ ବିଶେଷଜ୍ଞ କହିଛନ୍ତି। ବ୍ରାଭୁସ୍‌ର ଅର୍ଥ ଭିଲିଆନ, କପଟୀ ଏବଂ ବେଆଇନଭାବେ ଗଠନ ହୋଇଥିବାକୁ ସୂଚାଉଛି। ଏଣୁ ବ୍ରାଣ୍ଡ୍‌ ନାମ ପରିବର୍ତ୍ତନ ବେଳେ ବିଭିନ୍ନ ଦିଗକୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ନୂଆ ଆରମ୍ଭ ସହ ଲୋକଙ୍କ ଲାଗି କିଛି ଭଲ କାମ କରିବା ଦିଗରେ ଅଗ୍ରସର ହେଉଥିବା କମ୍ପାନୀର ସିଇଓ ଡାଭିଡ୍‌ ବୋସଫ୍‌ ଗୁରୁବାର କହିଛନ୍ତି। କମ୍ପାନୀର କାର୍ମିସେଲ ମାଇନିଂରୁ ଆସନ୍ତା ବର୍ଷ ରପ୍ତାନି ଆରମ୍ଭ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆଦାନୀର ଏହି ଖଣି ଆରମ୍ଭ ହେଲେ ପରିବେଶ ଉପରେ ଖରାପ ପ୍ରଭାବ ପଡିବ ବୋଲି ଆଶଙ୍କା କରି ଏହାକୁ ବିରୋଧ କରାଯାଉଥିଲା। ପରିବେଶବିତ୍‌ମାନେ ଆଦାନୀ ବିରୋଧରେ ଅଭିଯାନ ମଧ୍ୟ କରିଥିଲେ। ଏହି କମ୍ପାନୀର ବ୍ରାଣ୍ଡ ପ୍ରତିଛବି ଖରାପ ହେବାରେ ଲାଗିଥିଲା। ଫଳରେ ଆଦାନୀ ଏହାର ନାମକୁ ବଦଳାଇ ନୂଆ ଆରମ୍ଭ କରିବାକୁ ଯାଉଥିବା କୁହାଯାଉଛି।

Share