୧୯୬୭ ନମ୍ବରରେ ଚାଷୀ ଧାନବିକ୍ରି ତଥ୍ୟ ପାଇବେ

 

ଭଞ୍ଜନଗର,୧୦।୧୨(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡରେ ଚଳିତବର୍ଷ ଖରିଫ୍‌ ଧାନ ଫସଲ ଭଲ ହୋଇଛି । ଲକ୍ଷ୍ୟଠାରୁ ଅଧିକ ଫସଲ ଅମଳ ଆଶା କରାଯାଉଛି। କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ଉପଦ୍ରବ ଏବଂ ନିମ୍ନମାନର ବିହନ ଯୋଗୁ ଅମଳ କମିବା ସମ୍ଭାବନା ରହିଛି। ସେପଟେ ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲିବା ବିଳମ୍ବ ହେଉଥିବାରୁ ଚାଷୀମାନେ ଏବେ ଧାନ ଅମଳ କରି ବେପାରୀଙ୍କୁ ବିକିବାରେ ଲାଗିଛନ୍ତି । ଆସନ୍ତା ୧୬ ତାରିଖରେ ଭଞ୍ଜନଗର ଉପଖଣ୍ଡରେ ମଣ୍ଡି ଖୋଲିବ। ଶୁକ୍ରବାର ଭଞ୍ଜନଗର ଉପ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପଜିଲାପାଳ ଜ୍ୟୋତି ଶଙ୍କର ରାୟ ଅଧ୍ୟକ୍ଷତା କରି ଚାଷୀମାନେ କିଭଳି ଧାନ ବିକ୍ରି ସମୟରେ କୈଣସି ଅସୁବିଧାର ସମ୍ମୁଖିନ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କୌଣସି କର୍ମଚାରୀ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ପରୋକ୍ଷରେ ସୂଚାଇଥିଲେ । ଗତ ବର୍ଷଗୁଡ଼ିକରେ ଚାଷୀମାନେ ଧାନ ବିକ୍ରି ସମୟରେ ପୂର୍ବ ସୂଚନା ଠିକ୍‌ ଭାବେ ପାଇପାରୁ ନଥିଲେ । ଚଳିତବର୍ଷ କେଉଁଦିନ ଧାନ ବିକ୍ରି କରିବେ, କେତେ ଧାନ ବିକ୍ରି କରିପାରିବେ ଆଦି ତଥ୍ୟ ଜାଣିପାରିବେ । ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜୀକୃତ କରିଥିବା ନମ୍ବରରୁ ଟୋଲଫ୍ରି ନମ୍ବର ୧୯୬୭ କୁ କଲ୍‌ କଲେ ଯେଉଁ ତଥ୍ୟ ଜାଣିବାକୁ ଚାହିଁବେ ପାଇପାରିବେ । ଫଳରେ ଚାଷୀମାନେ ଘରେ ବସି ସମସ୍ତ ତଥ୍ୟ ପାଇପାରିବେ। ଗତବର୍ଷ ୧୬୨ଟି ସୋସାଇଟିରୁ ବିଭିନ୍ନ ମାଧ୍ୟମରେ ଧାନକ୍ରୟ କରାଯାଇଥିଲା। ଚଳିତବର୍ଷ ଡ଼ୁମାକୁମ୍ପା ସ୍ବୟଂ ସହାୟିକା ଗୋଷ୍ଠୀ ଏଥିରୁ ଓହରି ଯାଇଛି। ଗତ ଖରିଫ୍‌ ଋତୁରେ ୧୨ଲକ୍ଷ ୯୯ ହଜାର ୮୨୩ କୁଇଣ୍ଟାଲ ଧାନ ୪୦,୧୯୮ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ କିଣା ଯାଇଥିଲା। ଚଳିତ ବର୍ଷ ତାଠାରୁ ଅଧିକ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଧାନ ବିକ୍ରି ପାଇଁ ୪୨୦୦୧ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ସେଥିମଧ୍ୟରୁ ୭୪ଜଣ ଚାଷୀଙ୍କ ନାମ ଜମିପଟ୍ଟା ଯାଞ୍ଚ ସମୟରେ କଟି ଯାଇଥିଲା । ବଳକା ୪୧୯୨୭ ଚାଷୀଙ୍କ ଠାରୁ ଧାନ କିଣାଯିବ । ବର୍ତ୍ତମାନ ୯୦ ପ୍ରତିଶତ ଚାଷୀଙ୍କ ପାଖରେ ମେସେଜ୍‌ ଆସି ପହଞ୍ଚି ଯାଇଛି କେବେ କେଉଁ ଚାଷୀଙ୍କ ଠାରୁ ଧାନ କିଣାଯିବ । ଚଳିତ ବର୍ଷ ସାଧାରଣ ଧାନ କୁଇଣ୍ଟାଲ ପିଛା ୨୦୪୦ ଏବଂ ଗ୍ରେଡ଼୍‌ ‘ଏ’ ଧାନ ୨୦୬୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୬ରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖରିଫ୍‌ ଧାନ କିଣିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉପଖଣ୍ଡ ଯୋଗାଣ ଅଧିକାରୀ ଅସିତ୍‌ ମହାନ୍ତି ଧାନ କିଣା ନୀତି ନିୟମ ସମ୍ପର୍କରେ କହିଥିଲେ । ଅଭାବି ଧାନ ବିକ୍ରି ରୋକିବା ପାଇଁ ପ୍ରତ୍ୟେକ ତହସିଲ ଅଞ୍ଚଳରେ ତହସିଲଦାରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ବୈଠକରେ ଉପଖଣ୍ଡର ସମସ୍ତ ୮ ବିଡ଼ିଓ, ୮ ତହସିଲଦାର, ମିଲର, ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।