ଜଣଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୪ା୩: ଗଞ୍ଜାମ ଜିଲା ଓ ଦୌରା ଜଜ୍‌ ସୋମବାର ଅଜୟ ରଇତ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ପାଟପୁର ଥାନା ଅନ୍ତର୍ଗତ ପାଳଖୋଳ ଗ୍ରାମର ଚନ୍ଦ୍ରଜିତ ମଣ୍ଡଳ(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟେ ୬ମାସ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ରହିଛି।
ଯେ, ଚନ୍ଦ୍ରଜିତ ରାଜମିସ୍ତ୍ରି କାମ କରୁଥିଲେ। ତାଙ୍କ ପାଖରେ ଶ୍ରମିକ ଭାବେ ମୃତ ଅଜୟ ରଇତଙ୍କ ନାବାଳକ ଭାଇ କାମ କରୁଥିଲେ। ଅଜୟ ଚନ୍ଦ୍ରଜିତ ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଆସୁଥିବା ବେଳେ ଚନ୍ଦ୍ରଜିତ ଅନେକ ଥର ଅଜୟଙ୍କୁ ଏନେଇ ତାଗିଦ୍‌ କରିଥିଲେ। ଅନ୍ୟପଟେ ଅଜୟ ତାଙ୍କ ନାବାଳକ ଭାଇଙ୍କୁ ବିଭିନ୍ନ କାରଣକୁ ନେଇ ମାରପିଟ କରୁଥିଲେ। ତେଣୁ ଚନ୍ଦ୍ରଜିତ ପ୍ରତିଶୋଧପରାୟଣ ହୋଇ ଅଜୟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୧୯ ଏପ୍ରିଲ ୭ରେ ଚନ୍ଦ୍ରଜିତ ଅଜୟଙ୍କୁ ମଦ ପିଇବା ପାଇଁ ପାଳଖୋଳ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲକୁ ଡାକିଥିଲେ। ସେଠାକୁ ଅଜୟ, ଚନ୍ଦ୍ରଜିତ ଓ ଅଜୟଙ୍କ ନାବାଳକ ଭାଇ ଯାଇଥିଲେ। ସେଠାରେ ମଦ୍ୟପାନ କରିବା ପରେ ଚନ୍ଦ୍ରଜିତ ଓ ନାବାଳକ ମିଶି ଛୁରିରେ ଅଜୟଙ୍କ ତଣ୍ଟି କାଟି ହତ୍ୟା କରିଥିଲେ। ଏହାପରେ ସେହି ଜଙ୍ଗଲରେ ଗାତ ଖୋଳି ତାଙ୍କ ମୃତଦେହ ପୋତି ଘରକୁ ଆସିଥିଲେ।
ଅଜୟଙ୍କ ବାପା ପୁନିଆ ୭ତାରିଖ ରାତିରେ କାହିଁକି ମୋ ପୁଅ ଅଜୟଙ୍କୁ ଡାକି ନେଇଥିଲ ବୋଲି ଚନ୍ଦ୍ରଜିତଙ୍କୁ ପଚାରିଥିଲେ। ଅଜୟ ସମ୍ପର୍କରେ ମୁଁ କିଛି ଜାଣି ନ ଥିବା ସେ କହିଥିଲେ। ଘଟଣାର ୪ ଦିନ ପରେ ଗଁା ବୈଠକରେ ଚନ୍ଦ୍ରଜିତଙ୍କୁ ଡାକି ପଚରାଯିବାରୁ ସେ ଓ ଅଜୟଙ୍କ ନାବାଳକ ଭାଇ ମିଶି ଅଜୟଙ୍କୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା କହିଥିଲେ। ଗ୍ରାମ କମିଟି ପକ୍ଷରୁ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିଲା। ପୋଲିସ ଚନ୍ଦ୍ରଜିତଙ୍କୁ ଗିରଫ କରିବା ସହ ଅଜୟଙ୍କ ନାବାଳକ ଭାଇଙ୍କୁ ଧରି ଘଟଣାସ୍ଥଳକୁ ଯାଇ ମାଟି ଖୋଳି ତାଙ୍କ ମୃତଦେହ ସହ ରକ୍ତଭିଜା ଛୁରି ଓ ଚନ୍ଦ୍ରଜିତଙ୍କ ରକ୍ତଭିଜା ଡ୍ରେସ୍‌ ଜବତ କରିଥିଲା। ମାମଲା ନମ୍ବର ୮୦/୧୯ ଚନ୍ଦ୍ରଜିତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରି କୋର୍ଟ ନିର୍ଦ୍ଦେଶକ୍ରମେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା।
ଥାନାର ତତ୍କାଳୀନ ସବ୍‌-ଇନ୍ସପେକ୍ଟର ପ୍ରୀତିମଞ୍ଜରୀ ଗଡ଼ନାୟକ କୋର୍ଟରେ ଅଭିଯୋଗ କରିଥିଲେ। ମାମଲାର ବିଚାର ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡା ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।