କଟକ,୯।୧: ପୋଷ୍ୟପୁତ୍ରମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦେବା କ୍ଷେତ୍ରରେ ବଡ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (CAT) ଦେଇଥିବା ଆଦେଶକୁ ଓଡ଼ିଶା ହାଇକୋର୍ଟ କାଏମ୍ ରଖିବା ସହ ଦକ୍ଷିଣ-ପୂର୍ବ ରେଳବାଇ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଡି.କେ. ଶ୍ରୀପଦ ଏବଂ ଜଷ୍ଟିସ୍ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ କେ. ମନୋଜ ପାତ୍ରଙ୍କୁ ଦୁଇମାସ ମଧ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରିବାକୁ ଦକ୍ଷିଣ-ପୂର୍ବ ରେଳବାଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ନିଯୁକ୍ତି ନଦେଲେ ଏହାକୁ ଅତ୍ୟନ୍ତ ଗୁରୁତର ସହ ବିବେଚନା କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ରେଳବାଇ ବିଭାଗର ଟେକ୍ନିସିଆନ୍ କେ. ସାଧୁପାତ୍ରଙ୍କ ମୃତ୍ୟୁ (୨ ଏପ୍ରିଲ୍ ୨୦୦୮) ପରେ ତାଙ୍କର ପୋଷ୍ୟପୁତ୍ର କେ. ମନୋଜ ପାତ୍ର ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ରେଳବାଇ କର୍ତ୍ତୃପକ୍ଷ ପ୍ରଥମେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
ଏହା ବିରୋଧରେ ସାଧୁ ପାତ୍ରଙ୍କ ପତ୍ନୀ ଓ ମନୋଜ ପାତ୍ର କ୍ୟାଟ୍ ର ଦ୍ୱାରସ୍ଥ ହୋଇଥିଲେ। କ୍ୟାଟ୍ ୨୦୨୫ ରେଳବାଇ କର୍ତ୍ତୃପକ୍ଷଙ୍କ ଆଦେଶକୁ ଖାରଜ କରି ମନୋଜ ପାତ୍ରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରେଳବାଇ ହାଇକୋର୍ଟ ଯାଇଥିଲା।


