ବିଭିନ୍ନ ଯୋଜନାର କାର୍ଯ୍ୟ ଅଗ୍ରଗତିକୁ ଗୁରୁତ୍ୱ

କଟକ ଅଫିସ ୧୭ା୭: କଟକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ପଞ୍ଚମ ଜିଲା ଉନ୍ନୟନ, ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୃଷି, ଜଳଛାୟା, ସାମାଜିକ ସୁରକ୍ଷା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଦୀନଦୟାଲ ଉପାଧ୍ୟାୟ ଗ୍ରାମ କଲ୍ୟାଣ ଯୋଜନା, ଅମୃତ ପାନୀୟଜଳ ଯୋଜନା, ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା, ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟକ୍ରମର ଅଗ୍ରଗତି  ସମ୍ପର୍କରେ ଆଲୋଚନା ହୋଇଥିଲା।
ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ପୋଷଣ କମିଟି, ବକେୟା ସାମାଜିକ ସୁରକ୍ଷା ପେନ୍‌ସନ୍‌ ରାଶି, ମହାନଦୀରୁ ପାନୀୟ ଜଳଯୋଗାଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ, ଫସଲ ବୀମା ଯୋଜନା, ଅଙ୍ଗନଓ୍ବାଡି ଗୃହ ନିର୍ମାଣ, ମୋ ବଗିଚା ଯୋଜନାରେ ଉଦ୍ୟାନ ନିର୍ମାଣ ନିମନ୍ତେ ନୂତନ ପ୍ରସ୍ତାବ ଗ୍ରହଣ କରାଯାଇ କାର୍ଯ୍ୟ ପନ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ ଥିବା ସରକାରୀ ଜାଗାରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ, ଉଦ୍ୟାନ କୃଷି ସମ୍ପର୍କରେ ଆଲୋଚନା କରିଥିଲେ ା ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜିଲାରେ ୨୦୨୧-୨୦୨୨ ବର୍ଷ ପାଇଁ ୩୨୧.୬୦ ହେକ୍ଟର ଜମିରେ ବିଭିନ୍ନ ଚାରାରୋପଣ ପାଇଁ ସ୍ଥିର କରାଯାଇଥିଲା। ସେହିପରି ଜାତୀୟ ଗ୍ରାମୀଣ ଜୀବିକା ମିଶନ ଯୋଜନାରେ ୧୭,୦୪୯ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମ କଲ୍ୟାଣ ଯୋଜନାରେ ୨,୭୬୦ ଜଣ ବେରୋଜଗାରଙ୍କୁ ତାଲିମ ଦିଆଯାଇ ନିଯୁକ୍ତି ପ୍ରଦାନ ପାଇଁ ସ୍ଥିର କରାଯାଇଛି ା ଜିଲାରେ କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧରେ ରହୁଥିବା ପରିବାର ଉପରେ ବିଶେଷ ଦୃଷ୍ଟି ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଆୟୋଜିତ ବୈଠକରେ ବିଧାୟକ ପ୍ରଶାନ୍ତ ବେହେରା, ସୌଭିକ୍‌ ବଶ୍ୱାଳ, ଦେବୀ ରଞ୍ଜନ ତ୍ରିପାଠୀ, ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି  କମିଶନର ଅନନ୍ୟା ଦାସଙ୍କ ସମେତ ଜିଲାର ସମସ୍ତ ଉପଜିଲାପାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଡିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ପିଡି ଡିଆରଡିଏ ଅମ୍ବର କୁମାର କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ା