ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତିମାନଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯିବ। ଉକ୍ତ କମିଟି ଆରାବଳୀରେ ଖନନ ଓ ଏ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକରେ ଅନୁଧ୍ୟାନ କରିବ। ଏକ୍ସପର୍ଟ କମିଟି ଗଠନ ପାଇଁ ୪ ସପ୍ତାହ ମଧ୍ୟରେ ପରିବେଶବିତ୍ ଓ ବୈଜ୍ଞାନିକମାନଙ୍କ ନାମ ସୁପାରିସ କରିବାକୁ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଉକ୍ତ କମିଟି କାର୍ଯ୍ୟ କରିବ। ସୁପ୍ରିମକୋର୍ଟ ଆରାବଳୀର ସଂଜ୍ଞା ସମ୍ପର୍କିତ ନଭେମ୍ବର ୨୦ ରାୟ ଉପରେ ରଖିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଆରାବଳୀରେ ବେଆଇନ ଖନନ ଯୋଗୁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜ ଆଡ଼ୁ ଶୁଣାଣି କରୁଛନ୍ତି।
Dharitri – The Largest & Most Trusted Odia Daily

