ଜଳାଶୟରୁ ବେଆଇନ ମୋରମ ଚାଲାଣ

ଖୁଣ୍ଟୁଣୀ,୧୧ା୨(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୃଷ୍ଣଶ୍ୟାମପୁର ଗ୍ରାମପାର୍ଶ୍ୱ ଦେଉଳିଆ ସଂରକ୍ଷିତ ଜଙ୍ଗଲରେ ଥିବା କୁମାରୀବନ୍ଧ ଜଳାଶୟରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ଖବରପାଇ ବନ ବିଭାଗ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ମୋରମ ଚାଲାଣକୁ ବନ୍ଦ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରୀଷ୍ମଋତୁରେ ହାତୀ ଓ ଅନ୍ୟ ଜୀବଜନ୍ତୁ ପାଣି ପିଇବା ପାଇଁ ୧୯୮୫ରେ ଏହି ଜଳାଶୟ ଖନନ କରାଯାଇଥିଲା। ହେଲେ କିଛିଦିନ ହେବ ଜଣେ ଠିକାଦାର ଉକ୍ତ ଜଳାଶୟରୁ ଜେସିବି ଓ ହାଇଓ୍ବା ସହାୟତାରେ ବେଆଇନ ଭାବେ ମୋରମ ଚାଲାଣ କରୁଛନ୍ତି। ଏହାଦ୍ୱାରା ସେଠାରେ ବଡ଼ ଗର୍ତ୍ତ ହୋଇଛି। ଯାହା ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ହାତୀଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ଏଠାରେ ସମ୍ପୃକ୍ତ ଠିକାଦାର ଏଭଳି ବେଆଇନ କାର୍ଯ୍ୟ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଠଗଡ଼ ଡିଏଫ୍‌ଓ ଖବରପାଇ ମୋରମ ଚାଲାଣ ବନ୍ଦ କରିବା ପାଇଁ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ବନ ବିଭାଗ ଟିମ୍‌ ସେଠାରେ ଚଢାଉ କରିଥିଲା। ଏ ନେଇ ବନାଞ୍ଚଳ ଅଧିକାରୀ ସାହୁ କହିଛନ୍ତି, ତହସିଲଦାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ସେ ଯାହା ପଦକ୍ଷେପ ନେବେ। ଅପରପକ୍ଷରେ ତହସିଲଦାର ପ୍ରିୟବ୍ରତ ଦାସ କହିଛନ୍ତି, ଉକ୍ତ ମୋରମ ଚାଲାଣ ବାବଦରେ ଏପର୍ଯ୍ୟନ୍ତ ସରକାରୀ ତହବିଲକୁ ଟଙ୍କାଟିଏ ଆସିନାହିଁ। ରାଜସ୍ବ ନିରୀକ୍ଷକ ଓ ଅମିନଙ୍କ ପଠାଇ ମାପଚୁପ କରାଯିବା ପରେ ଜରିମାନା ଆଦାୟ କରାଯିବ ବୋଲି ସେ କହିଥିଲେ।