ବଢୁଛି ବେଆଇନ ମଦ କାରବାର

ଖୁଣ୍ଟୁଣୀ,୧୩ା୩(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବେଆଇନ ଭାବେ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ସମେତ ଅନେକ ସ୍ଥାନରେ ଦେଶୀମଦ ପ୍ରସ୍ତୁତ କରାଯାଇ ବିକ୍ରି ପାଇଁ କଟକ, ଚୌଦ୍ୱାର, ଢେଙ୍କାନାଳ ଓ ବାରଙ୍ଗ ଅଞ୍ଚଳକୁ ପଠାଯାଉଛି। ଏହାଦ୍ୱାରା ମଦ ମାଫିଆମାନେ ମାଲାମାଲ ହେଉଥିବାବେଳେ ନିଶାସକ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏପରି କି ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ କଲେ ଅବକାରୀ ବିଭାଗ ଲୋକଦେଖାଣିଆ ଚଢ଼ାଉ କରି ଦାୟିତ୍ୱ ସାରିଦେଉଛି। କିଛିଦିନ ବ୍ୟବଧାନରେ ମଦ ମାଫିଆମାନେ ପୁଣି ଦେଶୀମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଛନ୍ତି। ହେଲେ ଏହାକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକାଯାଇ ପାରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତୁରନ୍ତ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଚଢାଉ କରି ଦେଶୀମଦ ଓ ପୋଚ ଜବତ କରିବା ସହ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ ପାର୍ଶ୍ୱ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରାଯାଇ ଗାତ ଖୋଳି ରଖାଯାଇଥିଲା। ରବିବାର ଖବରପାଇ ଖୁଣ୍ଟୁଣୀ ପୋଲିସ, ଜିଲା ଓ ଆଠଗଡ଼ ଅବକାରୀ ବିଭାଗ ଏବଂ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଜଙ୍ଗଲର ୩୦ରୁ ଊର୍ଦ୍ଧ୍ୱ ଗାତରେ ୧୩୬୫ ଲିଟର ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ପ୍ଲାଷ୍ଟିକ ଜାର୍‌ରେ ୧୩,୯୪୦ ଲିଟର ପୋଚଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସେଗୁଡିକ ନଷ୍ଟ କରାଯାଇଥିଲା। ଏ ନେଇ ଖୁଣ୍ଟୁଣୀ ଥାନା ପକ୍ଷରୁ ୨ ଜଣ ଓ ଅବକାରୀ ବିଭାଗ ପକ୍ଷରୁ ୩ ଜଣଙ୍କ ନାମରେ ୫ଟି ମାମଲା ରୁଜୁ ହୋଇଛି। ଚଢ଼ାଉବେଳେ ଏମାନେ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି। ଅପରପକ୍ଷରେ ଆଠଗଡ଼ ଅବକାରୀ ବିଭାଗର ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, ଖୁଣ୍ଟୁଣୀର ଡାଳୁଆ, ଆଠଗଡ଼ର ଭିରୁଡ଼ା ଓ କୋରଙ୍ଗା ଆଦି ସ୍ଥାନରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଏହି ସ୍ଥାନରେ ମଦ ପ୍ରସ୍ତୁତି ବନ୍ଦ ପାଇଁ ପଦକ୍ଷେପ ନିଆଯିବ। ଏଣିକି ଚଢ଼ାଉ ଜାରି ରହିବ। ଏଥିସହ ୧୧୦ ଦଫାରେ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଜିଲା ମୋବାଇଲ ଇନ୍ସପେକ୍ଟର ସଞ୍ଜିତ ବାର୍ଲା, ଏସ୍‌ଆଇ ଅଜିତ୍‌ ପାତ୍ର, ବାଙ୍କୀ ଅବକାରୀ ଏସ୍‌ଆଇ ଦୀପକ ମାରାଣ୍ଡି, ଖୁଣ୍ଟୁଣୀ ବନାଞ୍ଚଳର ଲମ୍ବୋଦର ନାୟକ, ସସ୍ମିତା ପ୍ରଧାନ, ଖୁଣ୍ଟୁଣୀ ଥାନା ଏସ୍‌ଆଇ ଭିକାରି ଚରଣ ସାହୁ ସାମିଲ ହୋଇଥିଲେ।