ନଦୀ ପଠାଜମିକୁ ବେଆଇନ ଲିଜ୍‌

କୁଜଙ୍ଗ, ୨।୧୦(ଡି.ଏନ୍‌.ଏ.): କୁଜଙ୍ଗ ତହସିଲ ଦେଇ ପ୍ରବାହିତ ସାହାରାପେଣ୍ଠ ମତ୍ସ୍ୟଦିଆ ସଇରାତର ଶାମୁକାତିମୁଣ୍ଡା ନଦୀ ପଠା ଜମିକୁ ବେଆଇନଭାବେ ଲିଜ୍‌ ଆକାରରେ ଦିଆଯାଇଛି। ଏନେଇ କୈର୍ବତ୍ତ୍ୟମାନଙ୍କ ତରଫରୁ ଶୁକ୍ରବାର କୁଜଙ୍ଗ ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। କବୈର୍ତ୍ତ୍ୟ ସମାଜର ସୁବ୍ରତ ମାଝିଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ରେ ଶାମୁକାତିମୁଣ୍ଡ ନଦୀର ଭିତରଗଡ ମୌଜାର ଖାତା ନଂ.୧, ପ୍ଲଟ ନଂ.୫୪ରେ ଥିବା ୨୩ ଏକର ୬୨ ଡିସିମିଲ ଜମିକୁ ୬୦ ବର୍ଷ ପାଇଁ ଲିଜ୍‌ରେ ଦିଆଯାଇଥିଲା। ସେଠାରେ ଏବେ ପ୍ରାଚୀର ନିର୍ମାଣ କରାଯାଇଛି। ଏହାକୁ ଲିଜ୍‌ରେ ଦେବା ବେଳେ ଅତିରିକ୍ତ ତହସିଲଦାର ଡ. ପୁଜା ଲେଙ୍କା ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ଥିଲେ ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ନଦୀ ପୋତାଯିବା ଫଳରେ ମାଛ ଧରି ନ ପାରି କୈବର୍ତ୍ତମାନେ ନିଜର କୌଳିକ ବୃତ୍ତି ହରାଇଛନ୍ତି। ତୁରନ୍ତ ଉକ୍ତ ନଦୀକୁ ମୁକ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାଝି ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବିପିନ ବିହାରୀ ପଣ୍ଡା, ମିହିର କୁମାର ପାତ୍ର, ମିନତୀ ମାଝି, ଅନିତା ମାଝି, ଅର୍ଚ୍ଚନା ମାଝି ପ୍ରମୁଖ ଉପସ୍ଥିତ ଥିଲେ।ଏହାକୁ ଲେଙ୍କା ଖଣ୍ଡନ କରିଥିବାବେଳେ ସେତେବେଳେ ସେ ସବ୍‌ରେଜିଷ୍ଟ୍ରାର ଦାୟିତ୍ୱରେ ନ ଥିଲେ ବୋଲି କହିଛନ୍ତି। ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଦିଆଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଓ ଥାନା ଅଧିକାରୀ ସର୍ବେଶ୍ୱର ବେହେରା କହିଛନ୍ତି, ତଦନ୍ତ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ।