ବେଆଇନ ଔଷଧ କାରବାର: ୪ ଗିରଫ

ଜୟପୁର,୧।୫(ନି.ପ୍ର.): ଜୟପୁର ସହରରେ ଚାଲିଥିବା ବେଆଇନ ପେନ୍‌କିଲର ଔଷଧ କାରବାରର ଖୁଲାସା କରିଛି ଜୟପୁର ପୋଲିସ। ଏହି ଘଟଣାରେ ଜଡ଼ିତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମର ସୁଶାନ୍ତ ମହାନ୍ତି, ଜୟପୁର ବାପୁଜୀ ନଗରର ନବୀନ ରାଉତ, ଦିଲୀପ ହାନ୍ତାଳ ଏବଂ ଡଙ୍ଗାଗୁଡାର ରାମ ହରିଜନ। ଶନିବାର ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ନଗଦ ୫୧ ହଜାର ଟଙ୍କା ଓ ଏକ କାର ଜବତ ହୋଇଥିବା ସେ କହିଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ପେଣ୍ଟାଜୋସି ନାମକ ପେନ୍‌କିଲର ଔଷଧକୁ ବିକ୍ରି କରୁଥିଲେ। ଏହି ଔଷଧକୁ କୌଣସି ରୋଗୀଙ୍କ ଅସ୍ତ୍ରୋପ୍ରଚାର କରିବା ପୂର୍ବରୁ ଡାକ୍ତର ସେମାନଙ୍କୁ ଦେଇଥାନ୍ତି। ଡାକ୍ତରଙ୍କ ପ୍ରେସ୍‌କ୍ରିପଶନ ବିନା ଏହି ଔଷଧ ବିକ୍ରି କରିବା ମନା। ଅଭିଯୁକ୍ତଙ୍କ ନିକଟରୁ କୌଣସି ବିଲ୍‌ ନ ଥାଇ ୭୯୦ଟି ସାମ୍ପୁଲ ବାହାରିଥିଲା। ଏହି ଔଷଧକୁ ଜୟପୁର ସହରରେ ନିଶା ରୂପେ ବ୍ୟବହାର ନିମନ୍ତେ କାରବାର ହେଉଥିଲା। ବିଶେଷକରି ଏହାକୁ ଯୁବକମାନେ ବ୍ୟବହାର କରୁଥିବା ଜଣାପଡୁଛି। ଜବତ ଔଷଧର ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି। ପୋଲିସ ଓ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ମିଳିତ ତଦନ୍ତ ଜାରି ରହିଛି।