ସିଂହଦ୍ୱାର ନିକଟରେ ଚାଲିଛି ବେଆଇନ ନିର୍ମାଣ

ପୁରୀ ଅଫିସ, ୨୦ା୧୨:ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ମଙ୍ଗୁମଠ ପାର୍ଶ୍ୱରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ଆଣି ପୁରୀ ଜିଲା କମାକନ୍ତିଆ ଗ୍ରାମର ମାନବାଧିକାର କର୍ମୀ ଦିଲୀପ କୁମାର ବରାଳ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ବରାଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମ୍ପ୍ରତି ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ମଙ୍ଗୁ ମଠ ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ନିର୍ମାଣ କାର୍ଯ୍ୟ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) କିମ୍ବା ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ) ପକ୍ଷରୁ ଅନୁମତି କିମ୍ବା ଏନ୍‌ଓସି ନିଆଯାଇ ନାହିଁ। ବେଆଇନ ଭାବେ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି) ପକ୍ଷରୁ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ କରାଯାଉଛି। ଏହି ବେଆଇନ କାର୍ଯ୍ୟକୁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନର କେତେଜଣ ଅଧିକାରୀ ସମର୍ଥନ କରୁଛନ୍ତି ବୋଲି ବରାଳ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୧୦୦ ମିଟର ମଧ୍ୟରେ କାୈଣସି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଏଏସ୍‌ଆଇ ଏବଂ ଏନ୍‌ଏମ୍‌ଏର ଅନୁମତି କିମ୍ବା ଏନ୍‌ଓସିର ଆବଶ୍ୟକତା ରହିଛି। ମାତ୍ର ଏଠାରେ ତାହାକୁ ଅଣଦେଖା କରାଯାଇ ବିନା ଅନୁମତିରେ କାର୍ଯ୍ୟ କରାଯାଉଛି। ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଏଏସ୍‌ଆଇ ଚିଠି କରିଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ, ଯାହା ଦୁର୍ଭାଗ୍ୟର ବିଷୟ। ତୁରନ୍ତ ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବରାଳ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଅଭିଯୋଗ ନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଓବିସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।