ଖେଣ୍ତରାରେ ଚାଲୁଛି ବେଆଇନ କୁକୁଡ଼ା ଲଢ଼େଇ

କେନ୍ଦୁଝର,୨୫ା୧୧(ସ୍ବ.ପ୍ର): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ଖେଣ୍ତରା ଗ୍ରାମର ଶାଳ ଜଙ୍ଗଲରେ ଦୀର୍ଘ ଦିନ ହେବ ବେଆଇନ କୁକୁଡ଼ା ଲଢ଼େଇ ହେଉଛି। ଫଳରେ ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଏହାକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ନିଛାଟିଆ ଖେଣ୍ତରା ଶାଳଜଙ୍ଗଲେ ବହୁମାତ୍ରାରେ କୁ-କାର୍ଯ୍ୟକଳାପ ବଡ଼ିଚାଲିଛି। ବେଆଇନ ଭାବେ କୁକୁଡ଼ା ଲଢ଼େଇ ଚାଲିବା ଫଳରେ ଲୋକମାନେ ଜୁଆଖେଳରେ ମାତି ରହୁଛନ୍ତି। ଘରର ସାମଗ୍ରୀ ସହ ଗହଣା ବିକି କୁକୁଡ଼ା ଲଢ଼େଇରେ ଲଗାଉଛନ୍ତି। ଫଳରେ ଅଞ୍ଚଳର ଘରେ ଘରେ କଳହ ଲାଗି ରହୁଛି। ସେହିପରି ହାଣ୍ତିଆ ମହୁଲି ମଦ କୁକୁଡ଼ା ଲଢ଼େଇ ସ୍ଥାନରେ ବସୁଥିବା କାରଣରୁ ଲୋକେ ମଦ ପିଇ ନିଶାରେ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି। ପୋଲିସ ପ୍ରଶାସନ ଏଥିପ୍ରତି ଅବଗତ ଥିବା ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅସାଧୁ ବ୍ୟକ୍ତିମାନେ ଖୁଲମଖୁଲା କୁକୁଡ଼ା ଲଢ଼େଇ ଜାରି ରଖିଛନ୍ତି। ଭୟରେ କେହି ପାଟି ଫିଟାଉ ନ ଥିଲେ ମଧ୍ୟ ତୁରନ୍ତ ପୋଲିସ ପ୍ରଶାସନ କୁକୁଡ଼ା ଲଢ଼େଇ ରୋକିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ନେଇ ଝୁମ୍ପୁରା ଥାନା ଅଧିକାର ମରେନ୍ଦ୍ର ସିଆଲ ପଚାରିବାରୁ ଆଦିବାସୀମାନେ ପରମ୍ପରା ନାମରେ ଜୁଆ ଖେଳ ଚଳାଇଛନ୍ତି। ଶୀଘ୍ର ଧରପଗଡ଼ କରାଯିବ ବୋଲି ସେ କହିଥିଲେ।