ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ

ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ ପ୍ରତି ମଧ୍ୟ ଚିନ୍ତା କରାଯାଉ ନାହିଁ। ୩ଟି ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା ଭିତରେ କଳାପଥର ଖାଦାନ ଏବଂ କ୍ରଶର ନିର୍ମାଣାଧୀନ ଥିବାରୁ ଅଞ୍ଚଳବାସୀ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି। ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ଜିଲାରେ ଲଘୁ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାର ପ୍ରାୟ ୨ ବର୍ଷରୁ ଊର୍ଦ୍ଧ୍ୱ ଅତିକ୍ରାନ୍ତ ହୋଇ ସାରିଛି। ହେଲେ ଉକ୍ତ ବେଆଇନ କାରବାର ନିୟନ୍ତ୍ରଣ ହେବାର ସ୍ଥଳେ ଆହୁରି ବୃଦ୍ଧି ଘଟୁଥିବା ଅଭିଯୋଗ ହୋଇଛି। ଆରୁହା କଳାପଥର ଖାଦାନରୁ ଅନୁମତିଠାରୁ ଢେର ଗୁଣ ଅଧିକ ଉତ୍ତୋଳନ ପ୍ରମାଣିତ ହେବା ପରେ ଜରିମାନା ଦାଖଲ ଓ ଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ତାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାବାଦ୍‌ ଅତି ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏହିକ୍ରମରେ ରାଜ୍ୟ ସରକାରଙ୍କ ବିରୋଧରେ ଅଞ୍ଚଳବାସୀଙ୍କ ପକ୍ଷର ନୃସିଂହ ଚରଣ ବାରିକ, ବିପିନ ବେହେରା, ଚିତ୍ତରଞ୍ଜନ ଜେନା, ନିର୍ମଳ ନାୟକ ଓ ହରିହର ସାହୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(ଡବ୍ଲୁପିସି ପିଆଇଏଲ ନମ୍ବର-୨୮୦୩୨/୨୦୨୪) ରୁଜୁ କରିଛନ୍ତି।
ଆରୁହା ପାହାଡ଼ରେ ୫ଟି କଳାପଥର ଖାଦାନ ରହିଛି। ଏହି କଳାପଥର ଖାଦାନଗୁଡିକ ସ୍କୁଲ, ରେଳଓ୍ବେ ଲାଇନ ଓ ବସତି ନିକଟରେ ରହିଛି। ସରକାର ଏଠାରେ ଏକ କ୍ଲଷ୍ଟର ମାଇନିଂ ପ୍ଲାନ କରିଛନ୍ତି। କିନ୍ତୁ ଉକ୍ତ ପ୍ଲାନ କରିବା ପୂର୍ବରୁ ସରକାର ଏହାର ନିକଟରେ ଥିବା ସ୍କୁଲ ଓ ରେଳଓ୍ବେ ଲାଇନ ଅବସ୍ଥିତିକୁ ଭୁଲି ଯାଇଛନ୍ତି। ଏହି କ୍ରମରେ କ୍ରଶର ନିର୍ମାଣକୁ ନେଇ ଜିଲା ପ୍ରଶାସନ କିଭଳି ଅନୁମତି ଦେଇଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ସ୍କୁଲରେ ଅଧ୍ୟୟନରତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଚିନ୍ତାରେ ରହିଛନ୍ତି। କଳାପଥର ଖାଦାନରେ ବିସ୍ଫୋରଣ ଏବଂ ପରିବହନ ଯୋଗୁ ଅଞ୍ଚଳବାସୀଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ବିନା ଅନୁମତିରେ କେତେକ ବ୍ୟବସାୟୀ ଏଠାରେ କଳାପଥର ଉତ୍ତୋଳନ କରୁଛନ୍ତି। ଏପରି କି ସ୍ଥାନୀୟ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ଧର୍ମଶାଳା ତହସିଲଦାର ମନୋଜ ସାମଲ, ସରୋଜ କୁମାର ଜେନା ଏବଂ ତ୍ରିନାଥ ଜେନାଙ୍କୁ ଖାଦାନ ଚଳାଇବାକୁ ଅନୁମତି ଦେଇଛନ୍ତି। ସେମାନେ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିଛନ୍ତି। ଫଳରେ ତହସିଲ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ୪୫୦ ମିଟର ଦୂରତାରେ ସିନ୍ଦୁରାଇ ସ୍କୁଲ, ୩୦୦ ମିଟର ଦୂରତାରେ ଗୋଢିସାହି ବସ୍ତି, ୪୦୦ ମିଟର ଦୂରତାରେ ଗ୍ରାମ୍ୟ ପୋଖରୀ ଓ ଜାବରା ଗ୍ରାମ୍ୟ ବସତି, ୩୦୦ ମିଟର ଦୂରତାରେ ଆରୁହା ୟୁପି ସ୍କୁଲ ରହିଛି। ଏଥିଯୋଗୁ ଆରୁହା କଳାପଥର ଖାଦାନଗୁଡିକୁ ପରିଚାଳନା ଏବଂ ପରିବେଶଗତ ଅନୁମତି ମିଳିବା ଉଚିତ ନୁହେଁ। ତଥାପି ପ୍ରଶାସନ ତରଫରୁ ଆରୁହା ଗ୍ରାମର ପ୍ଲଟ ନମ୍ବର ୨୭୩୩ ଏବଂ ୨୫୯୪ ଜମିରେ ଶରତ କୁମାର ଜେନା ଓ ଅଶୋକ ପରିଡାଙ୍କୁ ୨ଟି କ୍ରଶର ୟୁନିଟ ଚଳାଇବାକୁ ଅନୁମତି ଦେଇଛନ୍ତି। ଏଥିଯୋଗୁ ସୃଷ୍ଟି ହୋଇଥିବା ପ୍ରଦୂଷଣ କାରଣରୁ ଗ୍ରାମବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆରୁହା ଗ୍ରାମର ସରୋଜିନୀ ମହାରଣା ଏବଂ ପ୍ରକାଶ ମହାରଣା କିଡ୍‌ନୀ ରୋଗରେ ପ୍ରାଣ ହରାଇଛନ୍ତି। ଏହାବାଦ୍‌ ନେପାଲ ରଣା, କେଶବ ରଣା, ଭାସ୍କର ରଣା, ରାଧା ବେହେରା, ଦିଲୀପ ବାରିକ, ଝରଣା ବେହେରା, କୈଳାସ ରାଉତ ପ୍ରମୁଖ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅତି ପ୍ରଦୂଷଣ ଯୋଗୁ ଚାଷ ଜମି କ୍ରମଶଃ କ୍ଷତିଗ୍ରସ୍ତ ହେଉଛି। ବିସ୍ଫୋରଣ ଯୋଗୁ ଦିବାକର ରଣା, ଭାସ୍କର ରଣା, କାଳିନ୍ଦି ବେହେରା ପ୍ରମୁଖଙ୍କ ଘରରେ ଫାଟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ବେଆଇନ ବ୍ଲାଷ୍ଟିଂ କାରଣରୁ ଆରୁହା ପାହାଡ଼ରେ କାର୍ଯ୍ୟରତ ଶ୍ରମିକ ଶତୃଘ୍ନ ସାମଲ, ରାଜୀବ ଘଡେଇ, କୂଳମଣି ସାମଲ, ବିଚିତ୍ରାନନ୍ଦ ବାରିକଙ୍କ ମୃତ୍ୟୁ ଘଟିଛି ା ଏହିସବୁ କାରଣରୁ ଆରୁହା ପାହାଡ଼ରେ ଥିବା ଖାଦାନଗୁଡିକୁ ବନ୍ଦ କରିବାକୁ ଆବେଦନକାରୀମାନେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri