ନୂଆଦିଲ୍ଲୀ,୧୫।୧୦: ପ୍ରୟାଗରାଜ ମହାକୁମ୍ଭରୁ ଚର୍ଚ୍ଚାକୁ ଆସିଥିବା ଆଇଆଇଟି ବାବା ଅଭୟ ସିଂହଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଏକ ଖବର ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ପୋଷ୍ଟଗୁଡ଼ିକରେ ଅଭୟ ସିଂହଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ତେବେ ହରିୟାଣାର ହିସାର ପୋଲିସ ଏହି ଖବରକୁ ଖଣ୍ଡନ କରିଛି। ଆଇଆଇଟି ବାବା ଅଭୟ ସିଂହ ଜୀବିତ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଥିବା ପୋଲିସ ସ୍ପଷ୍ଟ କରିଛି।
ହିସାର ପୋଲିସର ସୋସିଆଲ ମିଡିଆ ପ୍ରଭାରୀ ଅମରେନ୍ଦ୍ର ସିଂହଙ୍କ କହିବା ଅନୁସାରେ, ପ୍ରାୟ ତିନି ଦିନ ପୂର୍ବରୁ ହିସାରରେ ଆଇଆଇଟିରୁ ପାସ କରିଥିବା ରାହୁଲ ଜୈନ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା। ଏହି ଘଟଣାକୁ ଆଇଆଇଟି ବାବା ଅଭୟ ସିଂହଙ୍କ ସହ ଯୋଡ଼ି ସୋସିଆଲ ମିଡିଆରେ ଭୁଲ ତଥ୍ୟ ପ୍ରଚାର କରାଯାଉଛି। ପୋଲିସ ଏହାକୁ ମିଥ୍ୟା ଖବର ବୋଲି କହିବା ସହ ଲୋକଙ୍କୁ ଏଭଳି ଅପ୍ରମାଣିତ ପୋଷ୍ଟରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି।
ସୂଚନା ଅନୁଯାୟୀ, ହିସାରର ପିଏଲଏ ଅଞ୍ଚଳରେ ନୀଲମ ସିନେମାର ପରିଚାଳକ ତଥା ନ୍ୟୁ କ୍ଲଥ ମାର୍କେଟର କପଡ଼ା ବ୍ୟବସାୟୀ ନରେଶ ଜୈନଙ୍କ ପୁଅ ରାହୁଲ ଜୈନଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ମିଳିଥିଲା। ରାହୁଲ ଆଇଆଇଟିରୁ ଇଞ୍ଜିନିୟରିଂ ପଢ଼ିଥିଲେ।
ଏହି ଘଟଣା ପରେ ରାହୁଲ ଜୈନଙ୍କ ମୃତ୍ୟୁକୁ ଆଇଆଇଟି ବାବା ଅଭୟ ସିଂହଙ୍କ ସହ ଯୋଡ଼ି ଭୁଲ ଖବର ପ୍ରଚାର କରାଯାଇଥିବା ପୋଲିସ କହିଛି।