କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିଜେଡିର ପ୍ରତିବାଦ

ବାରିପଦା ଅଫିସ,୧୩ା୨: କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରତିବାଦରେ ସୋମବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ୩ ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି। ଜିଲା ମୁଖ୍ୟାଳୟ ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାକୁ ମିଶାଇ ଏକ ସଙ୍ଗେ ଚାରୋଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାରିପଦାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ପ୍ରାକ୍ତନ ମନ୍ତ୍ରୀ ତଥା ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପ୍ରାକ୍ତନ ବିଧାୟକ ଗଣେଶ୍ବର ପାତ୍ର, ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ରହି ରେଳ ବଜେଟରେ ଜିଲା ପ୍ରତି ବୈମାତୃକ ମନୋଭାବକୁ ନେଇ ଭାଜପାକୁ କଡ଼ା ନିନ୍ଦା କରିଛନ୍ତି । ରାଜ୍ୟ ପ୍ରତି ମହାରାଜାଙ୍କ ଅବଦାନ ଅତୁଳନୀୟ। ଜିଲାରେ ରେଳର ବିକାଶ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା, ଅଣଦେଖା ଓ ନୈରାଶ୍ୟଜନକ ବଜେଟକୁ ନେଇ କଡ଼ା ପ୍ରତିବାଦ କରିଛନ୍ତି।