ଅଣଦେଖା କଲା ପୂର୍ତ୍ତ ବିଭାଗ, ରାସ୍ତା ସମତୁଲ କଲେ ଅଞ୍ଚଳବାସୀ

ଉମରକୋଟ/ଧୋଡ୍ରା, ୧୨/୮(ସ୍ବ.ପ୍ର./ଡି.ଏନ୍‌.ଏ.):ରାସ୍ତା ମରାମତି ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ କାମ ନ ହେବାରୁ ଅଞ୍ଚଳବାସୀ ଏବଂ ସ୍ଥାନୀୟ ବ୍ୟବସାୟୀ ନିଜେ ରାସ୍ତା ସମତୁଲ କରିବାକୁ ବାଧ୍ୟ ହୋଇଛନ୍ତି। କୋଡ଼ି, ଜମେଲା ଧରି ସେମାନେ ରସ୍ତା ମରାମତି କରିଛନ୍ତି। ଉମରକୋଟ ଥାନା ଅଧୀନ ଧୋଡ୍ରା ଗ୍ରାମରେ ଗୁରୁବାର ଏଭଳି ଚିତ୍ର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଧୋଡ୍ରା ଗ୍ରାମ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟିହୋଇ ବର୍ଷାରେ ପାଣି ଜମିରହୁଥିଲା। ଖାଲ ଥିବା ଜାଣି ନ ଥିବା ବ୍ୟକ୍ତି ଏହି ରାସ୍ତାରେ ଯାତାୟାତ ବେଳେ ଦୁର୍ଘଟଣା ଆଶଙ୍କା ରହିଥିଲା। ଅଞ୍ଚଳବାସୀ ପୂର୍ତ୍ତ ବିଭାଗକୁ ଅନେକ ଥର ଜଣାଇଥିଲେ ମଧ୍ୟ ଅଣଦେଖା କରାଯାଇଥିଲା। ତେଣୁ ବାଧ୍ୟହୋଇ ନିଜେ ରାସ୍ତା ମରାମତି କରିଥିବା ଗ୍ରାମବାସୀ ଓ ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ଗ୍ରାମର ତିନୋଟି ମୁଖ୍ୟ ସ୍ଥାନରେ ପ୍ରାୟ ୨୫ ମିଟର ଲମ୍ବା ରାସ୍ତାରେ ପଥର ଗୁଣ୍ଡ ପକାଇ ସମତୁଲ କରାଯାଇଛି। ଏଥିରେ ପ୍ରାୟ ୧୨୦୦୦ ଖର୍ଚ୍ଚ ହୋଇଥିବା ସେମାନେ କହିଛନ୍ତି। ଏହି ରାସ୍ତା ୪୦ ନଂ. ରାଜ୍ୟ ରାଜପଥ ଏବଂ ଉମରକୋଟ ଓ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଛି। ତଥାପି ବିଭାଗ ଅଣଦେଖା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ ଗୌରାଙ୍ଗ ମାଝିଙ୍କୁ ପଚାରିବାରୁ ସେ ଟ୍ରେନିଂ ପାଇଁ ବାହାରେ ଥିବା କହିଛନ୍ତି।