କାଳୁଆ ନଗର, ବାସୁଦେବ ନଗର ପ୍ରତି ପ୍ରଶାସନର ଅଣଦେଖା

ବ୍ରହ୍ମପୁର ଅଫିସ, ୨୭ା୯: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ଲୋଚାପଡା ପଞ୍ଚାୟତ ଅଧୀନ କାଳୁଆନଗର ଓ ବାସୁଦେବନଗର ଅଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ପ୍ରତି ପ୍ରଶାସନ ଅଣଦେଖା କରାଯାଉଥିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। କମିଟି ପକ୍ଷରୁ କୁହାଯାଇଛି, ଉପରୋକ୍ତ ୨ଟି ଅଞ୍ଚଳ ସହର ସନିକଟରେ ଅବସ୍ଥିତ ଥିଲେ ମଧ୍ୟ ଏହା କୁକୁଡାଖଣ୍ଡି ବ୍ଲକ ଅଧୀନ ଲୋଚାପଡା ପଞ୍ଚାୟତରେ ରହିଛି। କାଳୁଆନଗରରେ ୫ ସାହି ଥିବା ବେଳେ ବାସୁଦେବନଗରରେ ୭ଟି ସାହି ରହିଛି। ଉକ୍ତ ୨ଟି ସାହିରେ ୫ ହଜାର ଜନସଂଖ୍ୟା ରହିଛି। କିନ୍ତୁ ଏତେ ସଂଖ୍ୟକ ଜନ ବସତି ସତ୍ତ୍ୱେ ସାହି ଗୁଡିକରେ ଖାଲ ଖମା ରାସ୍ତା ଯୋଗୁ ସାଧାରଣ ଜନତା ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏଥିସହ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲୋକେ ଜଳବନ୍ଦୀ ହେଉଛନ୍ତି। ତତସହିତ ସାହି ମଧ୍ୟରେ ଷ୍ଟ୍ରିଟ ଲାଇଟ ନ ଥିବାରୁ ବିଷାକ୍ତ ସରୀସୃପଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିକି ସାହି ୨ଟିକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ଅନ୍ୟପଟେ ପଞ୍ଚାୟତ ପକ୍ଷରୁ ନିୟମିତ ସଫେଇ ଓ ଆବର୍ଜନା ସଫେଇ ହେଉ ନ ଥିବାରୁ ପରିବେଶ ପ୍ରଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସହରତଳି ଅଞ୍ଚଳ ବ୍ରହ୍ମପୁର ମହାନଗରରେ ମିଶ୍ରଣ ନେଇ ନିଷ୍ପତ୍ତି ଅଧାପନ୍ତରିଆ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ମାୈଳିକ ସୁବିଧା ନ ମିଳିବା କମିଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଏଣୁ ଉପରୋକ୍ତ ୨ଟି ସାହିରେ ଥିବା ସମସ୍ୟାର ସମାଧାନ ପାଇଁ ସହରତଳି ଅଞ୍ଚଳ ମିିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଦାବି କରିଛନ୍ତି।