Categories: ବାଣିଜ୍ୟ

ଇଫ୍‌କୋକୁ ଏକ ନମ୍ବର ସମବାୟ ସମିତିର ମାନ୍ୟତା

ଭୁବନେଶ୍ୱର,୨୬।୨: ଭାରତୀୟ କୃଷକ ସାର ସମବାୟ (ଇଫ୍‌କୋ) ଲିମିଟେଡକୁ ଏକ ନମ୍ବର ସମବାୟ ସମିତିର ମାନ୍ୟତା ଦିଆଯାଇଛି। ଏପରିକି ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଇଫ୍‌କୋ ବିଶ୍ୱର ଶ୍ରେଷ୍ଠ ୩୦୦ ସମବାୟ ସମିତି ମଧ୍ୟରେ ଏକ ନମ୍ବର ସମବାୟ ସମିତି ସ୍ଥାନ ସହିତ ଗତ ବର୍ଷର ସ୍ଥିତିକୁ ବଜାୟ ରଖିଛି। ବିଶେଷ କରି ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ କାରବାରର ଅନୁପାତକୁ ଆଧାର କରି ଏହି ମାନ୍ୟତା ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଇଫ୍‌କୋର ପରିଚାଳନା ନିର୍ଦ୍ଦେଶକ ଡ.ଉଦୟ ଶଙ୍କର ଅବସ୍ତି କହିଛନ୍ତି, ଇଫ୍‌କୋ ଏବଂ ଭାରତୀୟ ସମବାୟ ଆନ୍ଦୋଳନରେ ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ। ଇଫ୍‌କୋରେ ଆମେ ସବୁବେଳେ କୃଷକଙ୍କ ଆୟ ବଢ଼ାଇବା, ସାରା ଦେଶରେ କୃଷକମାନଙ୍କର ଅଭିବୃଦ୍ଧି ସୁନିଶ୍ଚିତ କରିବା ଏବଂ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରତିଶ୍ରୁତିବଦ୍ଧ। ଆମେ ନବସୃଜନ ଉପରେ ବିଶ୍ୱାସ କରୁ, କାରଣ ଏହା ସଫଳତାର ଚାବିକାଠି । ସେଥିପାଇଁ ଆମେ କୃଷି ବିଶେଷ କରି ବିକଳ୍ପ ସାର ପାଇଁ ନାନୋ ଟେକ୍ନୋଲୋଜିଭିତ୍ତିକ ସମାଧାନ ଆରମ୍ଭ କରୁଛୁ, ଯାହା ଇଫ୍‌କୋ ନାନୋ ୟୁରିଆ ଲିକ୍ୱିଡ୍‌ରୁ ଆରମ୍ଭ ହୋଇଛି। ଏହାକୁ ଭାରତୀୟ କୃଷକମାନେ ବହୁତ ଭଲ ଭାବେ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ସମୟରେ ଇଫ୍‌କୋ ନାନୋ ଡିଏପିର ଶୁଭାରମ୍ଭ କରିଥିଲାବେଳେ ନିକଟରେ ଭାରତ ସରକାରଙ୍କ ବାର୍ଷିକ ବଜେଟରେ ଏହା ଉଲ୍ଲେଖ କରାଯାଇଥିଲା। ଏହି ମହତ୍ତ୍ୱପୂର୍ଣ୍ଣ ସଫଳତା ପାଇଁ ମୁଁ ଇଫ୍‌କୋ ଏବଂ ଦେଶର ସମଗ୍ର ସମବାୟ ସମ୍ପ୍ରଦାୟର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

Share