ନୂଆଦିଲ୍ଲୀ,୩୦।୫: ଆଇପିଏଲ୍ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି ଆର୍ସିବି ଟିକେଟ ହାସଲ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବହୁଗୁଣିତ ହୋଇଛି। ଏହାକୁ ନେଇ ଜଣେ ଆର୍ସିବି ପ୍ରଶଂସକ ବଡ଼ ବୟାନ ଦେଇଛନ୍ତି, ଯାହାକି ଭାଇରାଲ ହେଉଛି। ଦଳ ୨୦୨୫ରେ ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବେ ବୋଲି କହିଛନ୍ତି।
IPL ୨୦୨୫ ର କ୍ୱାଲିଫାୟର ୧ ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି RCB ଫାଇନାଲ ପାଇଁ ଟିକେଟ ବୁକ୍ କରିଛି। ଏହି ସିଜନର ଫାଇନାଲରେ ପହଞ୍ଚିଥିବା ସେମାନେ ପ୍ରଥମ ଦଳ। ୯ ବର୍ଷ ପରେ RCB IPL ଫାଇନାଲରେ ପହଞ୍ଚିବା ପରେ, ଏହାର ପ୍ରଶଂସକଙ୍କ ଆଶା ପୁଣି ଥରେ ଜାଗ୍ରତ ହୋଇଛି।
ଦଳର ଜଣେ ମହିଳା ପ୍ରଶଂସକ ଷ୍ଟାଡିୟମରେ ଏକ ପୋଷ୍ଟର ସହ ନଜର ଆସିଥିଲେ। ସେଥିରେ ସେ କହିଛନ୍ତି ଯେ, ଯଦି RCB ଫାଇନାଲ ନ ଜିତେ, ତେବେ ସେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ। ଏହାପରଠାରୁ ଭାଇରାଲ ଫଟୋ ଏବଂ ଏଥିରେ ଲେଖାଯାଇଥିବା ବୟାନର ସତ୍ୟତା କେତେ ସେ ନେଇ ପ୍ରଶ୍ନ ଉଠିଛି। ଯଦି RCB ଫାଇନାଲ ଜିତି ନ ପାରିଲା ତେବେ କ’ଣ ସେହି ମହିଳା ପ୍ରକୃତରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବେ ସେନେଇ ଅନେକେ ପ୍ରଶ୍ନ କରୁଛନ୍ତି।
ମହିଳାଜଣଙ୍କ ବିଷୟରେ କହିଲେ ସେ ଜଣେ ଆର୍ସିବି ପ୍ରଶଂସକଙ୍କ ସହ ଭିଡିଓ କଣ୍ଟେଣ୍ଟ ନିର୍ମାତା ମଧ୍ୟ। ତାଙ୍କର ଚିରୈୟା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଅଛି। ସେ ଇନଷ୍ଟାଗ୍ରାମରେ ତାଙ୍କର ବ୍ଲଗ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଷ୍ଟାଡିୟମରେ ସମାନ ପୋଷ୍ଟର ହଲାଇଥିବାର ଦେଖାଯାଉଛି, ଯେଉଁଥିରେ ଲେଖାଯାଇଛି ଯେ ଯଦି RCB ଫାଇନାଲ ଜିତି ନ ଯାଏ, ତେବେ ସେ ତାଙ୍କ ସୱାମୀଙ୍କୁ ଛାଡପତ୍ର ଦେବେ।
ପ୍ରକାଶ ଯେ, RCB ପ୍ରଶଂସକମାନେ ଗତ ୧୮ ସିଜିନ୍ ଧରି ଟ୍ରଫି ପାଇଁ ଅପେକ୍ଷା କରିଆସୁଛନ୍ତି। ଏଥର ସେହି ଅପେକ୍ଷାର ଅନ୍ତ ହେବାର ଆଶା ପୁଣି ଥରେ ଜାଗ୍ରତ ହୋଇଛି। IPL ୨୦୨୫ର ଫାଇନାଲ RCBର ଚତୁର୍ଥ ଫାଇନାଲ ହେବ। ଏହା ପୂର୍ବରୁ, ଏହା ୨୦୦୯, ୨୦୧୧ ଏବଂ ୨୦୧୬ ରେ ଆହୁରି ୩ ଟି ଫାଇନାଲ ଖେଳିଥିଲା। କିନ୍ତୁ ସବୁଥର ଏହାକୁ ରନର୍ସ ଅପ ହେବାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇତିହାସକୁ ବଦଳାଇ ଏହାର ପ୍ରଥମ IPL ଟାଇଟଲକୁ ହାସଲ କରିବାକୁ ଚାହିଁବ। ଏହାର ପ୍ରଶଂସକମାନେ ମଧ୍ୟ ସମାନ କିଛି ଚାହାଁନ୍ତି।


