ଦାବି ପୂରଣ ନ ହେଲେ କାମ ବନ୍ଦ

ସୋରଡା,୨୦।୧୧(ଡି.ଏନ୍‌.ଏ): ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ବର୍ତ୍ତମାନ ବହୁ କଷ୍ଟରେ ପରିବାର ପୋଷଣ କରୁଛନ୍ତି । ସରକାରଙ୍କ ସମସ୍ତ ପ୍ରକାର ଯୋଜନାରେ ଆଉଟସୋର୍ସିଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟ କରୁଛନ୍ତି । ହେଲେ କର୍ମଚାରୀଙ୍କୁ ସରକାର ଉପେକ୍ଷା କରୁଛନ୍ତି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଗଞ୍ଜାମ ଜିଲା ମହାସଂଘ ଡାକରାରେ ସୋରଡା ବ୍ଲକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ଚଳିତ ମାସ ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିଥିଲେ। ଏପରି କି ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆସନ୍ତା ୨୬ ତାରିଖରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଧାରଣାରେ ବସିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ଆଉଟସୋର୍ସିଂ ବ୍ୟବସ୍ଥାର ଉଚ୍ଛେଦ, କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ପୂର୍ବ ଘୋଷଣା ମୁତାବକ ୧୨ଟି ସବୈତନିକ ଛୁଟି ଲାଗୁ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।