ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, ସମ୍ମାନିତ ଅତିଥି ଓକିଲ ସଂଘ ସଭାପତି ରମାରଞ୍ଜନ ଦାଶ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ ଜନସାଧାରଣଙ୍କୁ ଦୁର୍ନୀତି ହଟାଇବା ଲାଗି ସଚେତନ କରାଇଥିଲେ। ଏପରି କି କୌଣସି କାର୍ଯ୍ୟ ଲାଗି ବିଭାଗୀୟ କାର୍ଯ୍ୟାଳୟକୁ ଗଲେ କାହାକୁ ଲାଞ୍ଚ ନ ଦେବା ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ଦୁର୍ନୀତିମୁକ୍ତ ଭାରତ ଗଠନ ଲାଗି ଶପଥ ନେଇଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ସରକାରୀ କାର୍ଯ୍ୟାଳୟରେ ବିନା ଲାଞ୍ଚରେ କର୍ମଚାରୀ କାର୍ଯ୍ୟ କରୁ ନ ଥିବା କହିବା ସହ ଭିଜିଲାନ୍ସ ବିଭାଗ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଏସ୍‌ଡିପିଓ ରଜନୀକାନ୍ତ ସାମଲ ଗୁରୁତର ଭାବେ ଗ୍ରହଣ କରିଥିଲେ। ଯଦି ପୋଲିସ ବିଭାଗୀୟ ଉପଖଣ୍ଡ ଅଧୀନସ୍ଥ ପୁରୁଷୋତ୍ତମପୁର, କୋଦଳା, କବିସୂର୍ଯ୍ୟନଗର, ପୋଲସରା ଥାନା ଅଞ୍ଚଳରେ ପୋଲିସ କର୍ମଚାରୀ ଯଦି ଟଙ୍କା ମାଗନ୍ତି କିମ୍ବା ହଇରାଣ କରନ୍ତି ତେବେ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ଅଭିଯୋଗ ମୁତାବକ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏପରି କି ଏଭଳି ଘଟଣା ନଜରକୁ ଆସିଲେ ତାଙ୍କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରି ନିଜ ବ୍ୟକ୍ତିଗତ ମୋବାଇଲ ନମ୍ବର ପ୍ରଦାନ କରିଥିଲେ। ଏସ୍‌ଡିପିଓଙ୍କ ଏଭଳି ପଦକ୍ଷେପ ଉପରେ ସମସ୍ତ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି।