କଂସାରୀପଡ଼ା ମରଣାନ୍ତକ ଆକ୍ରମଣ ଘଟଣା: ସିସିଟିଭିରୁ ଚିହ୍ନଟ ହେଲେ ୪ ଅଭିଯୁକ୍ତ

ବଲାଙ୍ଗୀର ଅଫିସ,୧୦ା୧୦: ଚଳିତମାସ ୩ ତାରିଖରେ ବଲାଙ୍ଗୀର ସହର କଂସାରୀପଡ଼ା ମଦନଗୁଡ଼ିଆ ଛକସ୍ଥିତ ମଦ ଦୋକାନ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ସ୍ଥାନୀୟ ଟାଉନ ଥାନା ପରିସରରେ ଏସ୍‌ଡିପିଓ ସୁମନ୍ତ ବାରିକ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଟାଉନ ଥାନାରେ ଇନ୍ଦିରାନଗରର ଧନୟ ପାଣ୍ଡେଙ୍କ ଅଭିଯୋଗ ଆଧାରରେ କେସ୍‌ ନଂ ୪୧୦/୨୦ରେ ପୋଲିସ ଏକ ମାମଲା ରୁଜୁ କରଥିଲା। ସପ୍ତାହେ ବ୍ୟାପୀ ପୋଲିସର ତନାଘନା ପରେ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ପୂର୍ଣ୍ଣିମା ଓରାମଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜିତେନ୍ଦ୍ର ଓରଫ ଜିତେନ କୁମ୍ଭାର(୨୪), ନିରଜ ହରପାଲ(୧୯),ନିରାକାର ବାଗ୍‌(୨୧), ସୁରଜ ହରପାଲ(୨୨)।ଏମାନେ ସମସ୍ତେ ବଲାଙ୍ଗୀର ସହରର ମାଲଗୋଦାମପଡ଼ାରେ ରହୁଥିବା ପୋଲିସ ସୂଚନା ଦେଇଛି ା
ତେବେ ପୋଲିସ ଘଟଣା ସମ୍ପର୍କରେ ଆହୁରି ସୂଚନା ଦେଇ କହିଛି ଯେ, ଗତ ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା ା ଗୋଟିଏ ଗୋଷ୍ଠୀରେ ଏହି ୪ ଜଣଙ୍କ ସମେତ ଅନ୍ୟମାନେ ଥିଲେ। ଆଉ ଗୋଟେ ଗୋଷ୍ଠୀରେ ଟୁନା ଓରଫ ତୁଷାରକାନ୍ତ ପାଢ଼ୀ, ଗରିବ ପାଣ୍ଡେ ପ୍ରମୁଖ ଥିଲେ ା ସେହିଦିନ ସେଭଳି କୌଣସି ଅଘଟଣ ଘଟି ନ ଥିବା ବେଳେ ଅକ୍ଟୋବର ୩ ତାରିଖ ଅପରାହ୍ନରେ ମଦନଗୁଡିଆ ଛକଠାରେ ପରିସ୍ଥିତି ଭୟଙ୍କର ରୂପ ନେଇଥିଲା। ତୁଷାରକାନ୍ତ ପାଢ଼ୀ, ଗରିବ ପାଣ୍ଡେଙ୍କୁ ଉକ୍ତ ୪ ଜଣ ଅଭିଯୁକ୍ତ ସମେତ ତାଙ୍କ ଗୋଷ୍ଠୀର ଅନ୍ୟ ଯୁବକମାନେ ମାଡ଼ ମାରିଥିଲେ। ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ହେଲେ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ ସମସ୍ତ ଘଟଣା କଏଦ ହୋଇଥିଲା। ପୋଲିସ ତଦନ୍ତ ସମୟରେ ଦୁଇଟି ବାଇକ୍‌ ଜବତ କରିଛି। ଏହି ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଟାଉନ ଥାନାର ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।