ଆଇଏଏସ୍‌ ଅଫିସର୍‌ ଅଭିଷେକ ସିଂଙ୍କ ଡେବ୍ୟୁ ଗୀତ ଭାଇରାଲ, ୪ ଦିନରେ ୨୫ ମିଲିୟନ୍‌ ଭ୍ୟୁଜ୍

ନିକଟରେ ରିଲିଜ ହୋଇଥିବା ବି ପ୍ରାକର ଗୀତ ‘ଦିଲ ଟୋଡ କେ’ ଇଣ୍ଟରନେଟରେ ଧମାଲ୍‌ କରୁଛି। ବି ପ୍ରାକ୍‌ର ଏହି ଗୀତ ଚାରି ଦିନ ମଧ୍ୟରେ ୨୫ ମିଲିୟନରୁ ଅଧିକ ଭ୍ୟୁଜ୍‌ ହୋଇଛି। ଗୀତର ସବୁଠୁ ବିଶେଷ କଥା ହେଉଛି ଆଇଏଏସ ଅଫିସର ଅଭିଷେକ ସିଂ ଏଥିରେ ଡେବ୍ୟୁ କରିଛନ୍ତି। ପ୍ରଶାସନିକ ଅଧିକାରୀରୁ ଜଣେ ଦକ୍ଷ କଳାକାର ଭାବରେ ଉଭା ହୋଇଥିବା ଅଭିଷେକଙ୍କୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି। ଏହି ଗୀତରେ ଅଭିଷେକ ସିଂଙ୍କ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତାଙ୍କ ମ୍ୟୁଜିକ ଭିଡିଓକୁ ଏପର୍ଯ୍ୟନ୍ତ କୋଟି କୋଟି ଲୋକ ପସନ୍ଦ କରିଛନ୍ତି। ଗୋଟିଏ ପଟେ ଅଭିଷେକ ସିଂ ପ୍ରଶାସନରେ ଦକ୍ଷତା ଦେଖାଇଥିବାବେଳେ ଅନ୍ୟ ପଟେ କ୍ୟାମେରାରେ ମଧ୍ୟ କମାଲ କରିଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓରେ ଅଭିଷେକଙ୍କ ବ୍ୟତୀତ ଜୁବିନ ଶାହା ଅଭିନୟ କରିଛନ୍ତି। ଏହି ମ୍ୟୁଜିକ ଭିଡିଓକୁ ରୋହିତ କୋହଲି ରଚନା କରିଛନ୍ତି ଏବଂ ବି.ପ୍ରାକ ସ୍ବର ଦେଇଛନ୍ତି।

ଏହି ମ୍ୟୁଜିକ ଭିଡିଓ ବ୍ୟତୀତ ଅଭିଷେକ ସିଂ କ୍ଷୁଦ୍ର ଚଳଚ୍ଚିତ୍ର ‘ଚାର୍‌ ପନ୍ଦର’ରେ ମଧ୍ୟ କାମ କରିଛନ୍ତି। ଏଥିରେ ମଧ୍ୟ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ଆଗାମୀ ସମୟରେ ଅଭିଷେକ ସିଂଙ୍କୁ ଅଧିକ ପ୍ରୋଜେକ୍ଟରେ ନିଜର ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ। ସେ ଖୁବ ଶୀଘ୍ର ନେଟଫ୍ଲିକ୍ସ ସିରିଜ ଦିଲ୍ଲୀ କ୍ରାଇମ-୨ରେ ପୁଣିଥରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇବେ। ଅଭିଷେକ କହିଥିଲେ ଯେ, ଯେତେବେଳେ ସେ କିଛି ସରକାରୀ କାର୍ଯ୍ୟ ସମ୍ପର୍କରେ ମୁମ୍ବାଇ ଯାଇଥିଲେ, ସେତେବେଳେ ଦିଲ୍ଲୀ କ୍ରାଇମ ଦଳ ନିଜେ ତାଙ୍କୁ ଏହି ସିରିଜରେ ଅଭିନୟ କରିବାକୁ କହିଥିଲେ।

Share