୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ ସେ ସ୍ୱଇଚ୍ଛାରେ ଚାକିରି ଛାଡ଼ିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ସେ ନିଜ ଇସ୍ତଫା ଏବଂ ଏହି ଯାତ୍ରାର ଅନୁଭୂତି ବିଷୟରେ ଜଣାଇଛନ୍ତି।

ଦିବ୍ୟା ମିତ୍ତଲ ଉତ୍ତରପ୍ରଦେଶର ଦେଓରିଆ, ମିର୍ଜାପୁର ଓ ସନ୍ତକବୀରନଗର ଭଳି ଜିଲାରେ ଜିଲାପାଳ ଭାବେ କାମ କରିଛନ୍ତି । ବର୍ତ୍ତମାନ ସେ ସ୍ୱତନ୍ତ୍ର ସଚିବ ପଦରେ କାର୍ଯ୍ୟରତ ଥିଲେ । ଇସ୍ତଫା ପରେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାରେ ରହିଛି। ଦିବ୍ୟା ମିତ୍ତଲ IIT ଦିଲ୍ଲୀରୁ ବିଟେକ୍ ଏବଂ IIM ବେଙ୍ଗାଲୁରୁରୁ MBA କରିଥିଲେ। ପାଠପଢ଼ା ପରେ ସେ ଲଣ୍ଡନରେ ଅନ୍ତର୍ଜାତୀୟ ଆର୍ଥିକ କମ୍ପାନୀ JP Morganରେ ଟ୍ରେଡର ଭାବେ କାମ କରୁଥିଲେ। ଏହାପରେ ସେ ଭାରତ ଫେରି UPSC ପରୀକ୍ଷା ଦେଇଥିଲେ। ୨୦୧୨ରେ UPSCରେ ୬୮ତମ ଅଲ୍ ଇଣ୍ଡିଆ ରାଙ୍କ୍ ହାସଲ କରି IAS ଅଧିକାରୀ ହୋଇଥିଲେ। ତାଙ୍କ ସ୍ୱାମୀ ଗଗନଦୀପ ସିଂହ ମଧ୍ୟ ଜଣେ IAS ଅଧିକାରୀ। ଦିବ୍ୟା ମିତ୍ତଲ ମିର୍ଜାପୁରର ଜିଲାପାଳ ଥିବା ସମୟରେ ହଲିଆ ବ୍ଲକର ଦୁର୍ଗମ ପାହାଡ଼ିଆ ଗାଁ ଲହୁରିଆଦହରେ ଲୋକଙ୍କ ପାଖରେ ପାଣି ପହଞ୍ଚାଇବା ପାଇଁ କାମ କରିଥିଲେ । ଦୀର୍ଘ ବର୍ଷ ଧରି ପାଣି ସମସ୍ୟାରେ ଜୁଝୁଥିବା ଏହି ଅଞ୍ଚଳରେ ଘରକୁ ଘର ପାଇପ ମାଧ୍ୟମରେ ପାଣି ପହଞ୍ଚାଇବାରେ ତାଙ୍କ ଭୂମିକା ଚର୍ଚ୍ଚିତ ହୋଇଥିଲା।

ନିଜ ପୋଷ୍ଟରେ ଦିବ୍ୟା ମିତ୍ତଲ କହିଛନ୍ତି ଯେ ୧୩ ବର୍ଷର ଅବିସ୍ମରଣୀୟ ଯାତ୍ରାକୁ ନିଜ ଇଚ୍ଛାରେ ବିରାମ ଦେଇ ସେ IASରୁ ଇସ୍ତଫା ଦେଇଛନ୍ତି । ଦେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଲଣ୍ଡନର ଚାକିରି ଛାଡ଼ି ଭାରତ ଫେରାଇ ଆଣିଥିଲା ବୋଲି ସେ ଲେଖିଛନ୍ତି। ପ୍ରଶାସନିକ ସେବାରେ ରହି ତାଙ୍କୁ ଅନେକ କିଛି କରିବା ଓ ଶିଖିବାର ସୁଯୋଗ ମିଳିଥିଲା। ଦେଓରିଆ ତାଙ୍କୁ ସଠିକ୍‌ ପକ୍ଷରେ ଠିଆ ହେବା ଶିଖାଇଥିଲା, ମିର୍ଜାପୁର ତାଙ୍କୁ ‘ଅସମ୍ଭବ’ କେବଳ ଏକ ମତ ବୋଲି ଶିଖାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ନିଜ ପୋଷ୍ଟରେ ଦିବ୍ୟା ମିତ୍ତଲ ଲହୁରିଆଦହର ଜଣେ ବୃଦ୍ଧା ମହିଳାଙ୍କୁ ମଧ୍ୟ ମନେ ପକାଇଛନ୍ତି। ଗାଁରେ ପ୍ରଥମଥର ପାଣି ପହଞ୍ଚିବା ଦେଖି ସେହି ବୃଦ୍ଧା କିଛି କହିନଥିଲେ, କେବଳ କମ୍ପିତ ହାତରେ ତାଙ୍କ ମୁଣ୍ଡ ଛୁଇଁ ଆଶୀର୍ବାଦ ଦେଇଥିଲେ ବୋଲି ଦିବ୍ୟା ଲେଖିଛନ୍ତି। ତାଙ୍କ କହିବା ଅନୁସାରେ, ପଦ ଆଜି ଛାଡ଼ିଦେଇଛନ୍ତି, କିନ୍ତୁ ଦେଶ ପାଇଁ ଦେଖିଥିବା ସ୍ୱପ୍ନ ଏବେ ବି ତାଙ୍କ ସହ ରହିଛି। ତାଙ୍କ ଏହି ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି।

 

Dharitri – Odisha’s No.1 Odia Daily

Share
Tags: Divya Mittal