ଓ୍ବାଶିଂଟନ,୨୯ା୧୧: ଆମେରିକା ହ୍ବାଇଟ୍ ହାଉସ୍ ନିକଟରେ ଜଣେ ଆଫଗାନ୍ ବ୍ୟକ୍ତିଙ୍କ ଗୁଳିମାଡ଼ରେ ନ୍ୟାଶନାଲ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ହୋଇଥିବାବେଳେ ତୃତୀୟ ବିଶ୍ୱର ସମସ୍ତ ଦେଶରୁ ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିଦେବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ଘୋଷଣା କରିଛନ୍ତି। ଟ୍ରମ୍ପ୍ଙ୍କ ଏଭଳି ପଦକ୍ଷେପ ବିଶ୍ୱସ୍ତରରେ ବଡ଼ ଧରଣର ପ୍ରଭାବ ପକାଇବାକୁ ଯାଉଛି। ନିଯୁକ୍ତି ଏବଂ ଶିକ୍ଷା ପାଇଁ ଆମେରିକା ଆସିଥିବା ଅନେକ ନିୟୁତ ବ୍ୟକ୍ତି ପ୍ରଭାବିତ ହେବେ। ଏଥିସହିତ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଦେଶୀମାନଙ୍କୁ ବିଦା କରାଯିବ ବୋଲି ଟ୍ରମ୍ପ୍ କହିଛନ୍ତି। ନ୍ୟାଶନାଲ ଗାର୍ଡ ସଦସ୍ୟଙ୍କ ମୃତ୍ୟୁ ପରେ ଟ୍ରମ୍ପ୍ ପ୍ରଶାସନ ଆପ୍ରବାସନ ଉପରେ ଚଢ଼ାଉକୁ ଜୋର୍ଦାର କରିଛି। ଚିନ୍ତାଜନକ ଦେଶଗୁଡ଼ିକରୁ ଆପ୍ରବାସୀଙ୍କୁ ଜାରି ହୋଇଥିବା ସମସ୍ତ ଗ୍ରୀନ୍କାର୍ଡର ପୁନଃ ଯାଞ୍ଚ କରାଯିବ ବୋଲି ଟ୍ରମ୍ପ୍ ପ୍ରଶାସନ କହିଛି।
ଆମେ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଗତି କରୁଥିବାବେଳେ ଏଥିରୁ ହେଉଥିବା ଲାଭ ଏବଂ ଅନେକଙ୍କ ଜୀବନଯାପନ ସ୍ଥିତି ଦେଶର ଆପ୍ରବାସନ ନୀତି ପାଇଁ ନଷ୍ଟ ହେଉଥିବା ଟ୍ରମ୍ପ୍ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି। ସେଥିପାଇଁ ତୃତୀୟ ବିଶ୍ୱ ଦେଶଗୁଡ଼ିକରୁ ପ୍ରବାସକୁ ସବୁଦିନ ପାଇଁ ବନ୍ଦ କରିବାକୁ ହେବ। ଜୋ ବାଇଡେନ୍ଙ୍କ ଶାସନ କାଳରେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଅନେକ ନିୟୁତ ଲୋକଙ୍କୁ ବିଦା କରାଯିବ। ଯେଉଁମାନେ ଆମେରିକାର ସମ୍ପତ୍ତି ନୁହନ୍ତି କିମ୍ବା ଆମ ଦେଶକୁ ଭଲ ପାଉନାହାନ୍ତି ସେମାନଙ୍କୁ ବାହାର କରିଦିଆଯିବ ବୋଲି ଟ୍ରମ୍ପ୍ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି।
ଶୀତଳ ଯୁଦ୍ଧ ବେଳେ ବିଶ୍ୱ ୨ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଆମେରିକା ଓ ଏହାର ସହଯୋଗୀ ପାଶ୍ଚାତ୍ୟ ଦେଶ ଏବଂ ଅନ୍ୟପଟେ କମ୍ୟୁନିଷ୍ଟ ପୂର୍ବାଞ୍ଚଳ ଦେଶସମୂହ। ଏମାନଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱ କୁହାଯାଉଥିବାବେଳେ ନିରପେକ୍ଷ ତଥା ଅବଶିଷ୍ଟ ଦେଶଗୁଡ଼ିକୁ ତୃତୀୟ ବିଶ୍ୱ କୁହାଯାଉଥିଲା। ଗରିବ ଏବଂ ଅବହେଳିତ ଦେଶଗୁଡ଼କ ପାଇଁ ତୃତୀୟ ବିଶ୍ୱ ଶବ୍ଦ ବ୍ୟବହାର କରାଯାଇଥାଏ। ତୃତୀୟ ବିଶ୍ୱରେ ମୁଖ୍ୟତଃ ଆଫ୍ରିକା, ଏସିଆ ଏବଂ ଦକ୍ଷିଣ ଆମେରିକାର ଅନୁନ୍ନତ କୃଷିପ୍ରଧାନ ଦେଶଗୁଡ଼ିକୁ ନିଆଯାଇଥାଏ।


