Categories: ଜାତୀୟ

ମନ୍ଦିର ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲି, ଯଦି ସୁଯୋଗ ମିଳେ ଭୂମିପୂଜାକୁ ନିଶ୍ଚୟ ଯିବି: ଉମା ଭାରତୀ

ନୂଆଦିଲୀ,୨୨।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମଲାଲଙ୍କ ମନ୍ଦିରର ଭୂମିପୂଜା ଆୟୋଜିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରାୟ ୧୫୦ଜଣ ଯୋଗଦେବେ ବୋଲି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ରାମ ମନ୍ଦିର ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଜପା ନେତ୍ରୀ ଉମା ଭାରତୀ ଭୂମିପୂଜାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୫୦୦ବର୍ଷରୁ ଚାଲିଆସିଥିବା ରାମ ମନ୍ଦିର ନିର୍ମାଣର ଆନ୍ଦୋଳନରେ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଯଦି ସୁଯୋଗ ମିଳେ ତେବେ ଭୂମିପୂଜାକୁ ନିଶ୍ଚୟ ଯିବି ବୋଲି ଉମା ଭାରତୀ କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ମନ୍ଦିରର ଭୂମିପୂଜା ଏକ ପ୍ରୋଟୋକଲ ଆଧାରରେ ଆୟୋଜିତ ହେବ। ଆଉ ଏହାକୁ ଅନୁସରଣ କରିବା ମଧ୍ୟ ନିହାତି ଜରୁରୀ। ତେବେ ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା ପାଇଁ ଏଯାଏଁ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆମନ୍ତ୍ରଣ କରାଯାଇନାହିଁ। ଯଦି ନିମନ୍ତ୍ରଣ କରାଯାଏ ତେବେ ସେ ନିଶ୍ଚୟ ଯିବେ ବୋଲି ଉମା ଭାରତୀ କହିଛନ୍ତି।

Share