ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ କେବଳ ହାଇଡ୍ରୋଜେନ ଏବଂ ଅତ୍ୟଧିକ ଇଲେକ୍ଟ୍ରୋନେଗେଟିଭ ମୌଳିକ ଯେପରିକି ନାଇଟ୍ରୋଜେନ, ଅମ୍ଳଜାନ, ଫ୍ଲୋରିନ ଏବଂ କ୍ଲୋରିନ ମଧ୍ୟରେ ହିଁ ସମ୍ଭବ। କମ ଇଲେକ୍ଟ୍ରୋନେଗେଟିଭ ପରମାଣୁ ସହିତ ଜଡ଼ିତ ହାଇଡ୍ରୋଜେନ ବନ୍ଧନ ନଗଣ୍ୟ କିମ୍ବା ଅସ୍ତିତ୍ୱହୀନ ବୋଲି ଧରି ନିଆଯାଇଥିଲା। ତେବେ ଭୁବନେଶ୍ୱରସ୍ଥିତ ନାଇଜର୍ (NISER – National Institute of Science Education and Research) ଏବଂ ବିଶ୍ୱର ଅନ୍ୟ କେତେକ ଅନୁଷ୍ଠାନର ନିକଟ ଅତୀତର ଅଭୂତପୂର୍ବ ଗବେଷଣା ଏହି ସାଧାରଣ ସହମତିକୁ ମୂଳରୁ ଚ୍ୟାଲେଞ୍ଜ କରିଛି। ବୈଜ୍ଞାନିକମାନେ ହାଇଡ୍ରୋଜେନ ବନ୍ଧନ ସହ ଜଡ଼ିତ ଅଣୁ ଓ ପରମାଣୁଗୁଡ଼ିକୁ ପ୍ରାୟ ୧୦ କେଲଭିନ (ପରମ ଶୂନ୍ୟ ନିକଟତର) ତାପମାତ୍ରାରେ ନିରୀକ୍ଷଣ କରିବା ପାଇଁ ‘ଲେଜର୍ ସ୍ପେକ୍ଟ୍ରୋସ୍କୋପି ଇନ୍ ସୁପରସୋନିକ ଜେଟ୍ସ’ ପରି ଅତି ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ୟବହାର କରିଛନ୍ତି। ସେମାନେ ପ୍ରମାଣ କରିଛନ୍ତି ଯେ ସଲଫର୍ (Sulfur/S) ଏବଂ ସେଲେନିୟମ (Selenium/Se) ପରି ପରମାଣୁ ଯାହା ପୂର୍ବରୁ ହାଇଡ୍ରୋଜେନ ବନ୍ଧନ ଗଢ଼ିବା ପାଇଁ ବହୁତ ‘ଦୁର୍ବଳ’ ବୋଲି ବିବେଚନା କରାଯାଉଥିଲା ସେମାନେ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବନ୍ଧନରେ ଅଂଶଗ୍ରହଣ କରନ୍ତି। ଏହି ଭାରତୀୟ ଅବଦାନକୁ IUPAC ଦ୍ୱାରା ସ୍ବୀକୃତି ମିଳିଥିଲା ଏବଂ ଏହା ୨୦୧୧ ମସିହାରେ ହାଇଡ୍ରୋଜେନ ବନ୍ଧନର ନୂତନ ସଂଜ୍ଞା ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଥିଲା।
ରୋଷେଇ ଘରୁ ଔଷଧ ପ୍ରସ୍ତୁତି ପର୍ଯ୍ୟନ୍ତ : ଆମେ ପ୍ରତ୍ୟେକ ଘଣ୍ଟାରେ ହାଇଡ୍ରୋଜେନ ବଣ୍ଡିଂର ଭୌତିକ ଓ ରାସାୟନିକ ଗୁଣାବଳୀର ସମ୍ମୁଖୀନ ହୋଇଥାଉ, ଯାହା ଅଧିକାଂଶ ସମୟରେ ଅତି ସାଧାରଣ ଘଟଣା ଭଳି ମନେହୁଏ। ନିମ୍ନରେ ଦିଆଯାଇଥିବା କିଛି ଉଦାହରଣ ବେଶ୍ କୌତୂହଳପୂର୍ଣ୍ଣ।
ଖାଦ୍ୟ ଓ ତନ୍ତୁର ଗଠନ: ଆପଣଙ୍କ ଗ୍ଲୁଟେନ୍ଯୁକ୍ତ ପାଉଁରୁଟିର ‘ଟାଣ’ ଏବଂ ଆପଣଙ୍କ ପ୍ରିୟ ସୂତା ଟି-ଶାର୍ଟର ମଜଭୁତ ସୂତା ଏସବୁ ହାଇଡ୍ରୋଜେନ ବଣ୍ଡିଂର ଫଳ। ପ୍ରକୃତିରେ, ଗଛର କାଠରେ ଥିବା ସେଲୁଲୋଜ ଚେନ୍ଗୁଡିକ ଏହି ବନ୍ଧନ ଦ୍ୱାରା ଏକାଠି ହୋଇ ରହିଥାନ୍ତି। ଏହା ଗଛକୁ ଶହ ଶହ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢ଼ିବା ପାଇଁ ଆବଶ୍ୟକ ଗଠନମୂଳକ ଶକ୍ତି ପ୍ରଦାନ କରେ।
କେଶ ସଜ୍ଜା: ଆପଣଙ୍କ କେଶ କେରାଟିନ ନାମକ ଏକ ପ୍ରୋଟିନରେ ଗଠିତ, ଯାହା ମୁଖ୍ୟତଃ ହାଇଡ୍ରୋଜେନ ବନ୍ଧନ ଯୋଗୁ ଏକ ନିର୍ଦ୍ଦିଷ୍ଟ ଆକାର ଧାରଣ କରିଥାଏ। ଯେତେବେଳେ ଆପଣ ହେୟାର ଡ୍ରାୟର୍ କରନ୍ତି, ଉତ୍ତାପ ଏହି ବନ୍ଧନଗୁଡ଼ିକୁ ଭାଙ୍ଗିଦିଏ, ଯାହାଦ୍ୱାରା ଆପଣ କେଶକୁ ଏକ ନୂତନ ଏବଂ ସିଧା ଆକାରରେ ‘ରିସେଟ’ କରିପାରିବେ। ତେବେ, ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ଜଳର ଅଣୁଗୁଡ଼ିକୁ କେଶ ମଧ୍ୟକୁ ଆଣିଥାଏ, ଯାହା ସେହି ସମାନ ସ୍ଥାନ ପାଇଁ ପ୍ରତିଯୋଗିତା କରେ। ଏହା ଆପଣଙ୍କ କେଶର ଷ୍ଟାଇଲକୁ ବିଗାଡ଼ି ଦିଏ ଏବଂ କେରାଟିନ ଚେନ୍ଗୁଡ଼ିକୁ ପୁଣି ବଙ୍କା କରିଦିଏ, ଯାହାଫଳରେ କେଶ କୁଞ୍ଚୁକୁଞ୍ଚତ୍ଆ ବା ‘ଫ୍ରିଜ’ ହୋଇଯାଏ।
ଆଧୁନିକ ଚିକିତ୍ସା ବିଜ୍ଞାନ ଓ ଔଷଧ ପ୍ରସ୍ତୁତି : ହାଇଡ୍ରୋଜେନ ବନ୍ଧନର ଏହି ‘ଆଣବିକ ହସ୍ତମିଳନ’କୁ ବୁଝିବା ହେଉଛି ଆଧୁନିକ ଫାର୍ମାକୋଲୋଜିର ମୂଳଦୁଆ। ବଜାରରେ ମିଳୁଥିବା ପ୍ରାୟ ୩୦ ପ୍ରତିଶତ ଔଷଧରେ ହାଇଡ୍ରୋଜେନ ବନ୍ଧନରେ ଲିପ୍ତ ଅଣୁମାନେ (ବିଶେଷ କରି ଫ୍ଲୋରିନ ଯୁକ୍ତ) ଥାନ୍ତି। ଔଷଧ ନିର୍ମାଣ କରୁଥିବା ରସାୟନବିତ୍ମାନେ ଜାଣନ୍ତି ଯେ ଏକ ଅଣୁ ମାନବ ଶରୀରର ରିସେପ୍ଟର ସହିତ କେଉଁଠାରେ ହାଇଡ୍ରୋଜେନ ବନ୍ଧନ ଗଢ଼ିବ। ହାଇଡ୍ରୋଜେନ ବଣ୍ଡିଂ ମାଧ୍ୟମରେ ସେମାନେ ଏପରି ଔଷଧ ତିଆରି କରନ୍ତି ଯାହା ଲକ୍ଷ୍ୟ କରିଥିବା ପ୍ରୋଟିନ ସହିତ ଠିକ୍ ଭାବେ ଖାପ ଖାଇଯାଏ। ଏହାଦ୍ୱାରା କମ୍ ମାତ୍ରାରେ ଔଷଧ ବ୍ୟବହାର କରି କମ୍ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ଫଳପ୍ରଦ ଚିକିତ୍ସା ସମ୍ଭବ ହୋଇଥାଏ।
ହାଇଡ୍ରୋଜେନ ବଣ୍ଡ ବାହାରେ: ହଗିନ୍ସଙ୍କ ସେହି ୧୦୦ ବର୍ଷ ତଳର ଚିନ୍ତାଧାରା ଆଜି ବି ଏକ ରହସ୍ୟ ହୋଇ ରହିଛି। ଆମେ ଏବେ ଅନୁଭବ କରୁଛୁ ଯେ ହାଇଡ୍ରୋଜେନ ବଣ୍ଡ କେବଳ ଏକ ସାଧାରଣ ଇଲେକ୍ଟ୍ରୋଷ୍ଟାଟିକ ଆକର୍ଷଣ ନୁହେଁ; ଏଥିରେ କ୍ୱାଣ୍ଟମ ମେକାନିକ୍ସର ଏକ ଜଟିଳ ପ୍ରକ୍ରିୟା ଜଡ଼ିତ, ଯେଉଁଥିରେ ‘ଡିସପର୍ସନ ଫୋର୍ସ’ ଭଳି ପାରସ୍ପରିକ କ୍ରିୟା ମାଧ୍ୟମରେ ପରମାଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ ଘନତ୍ୱର ସ୍ଥାନାନ୍ତରଣ ହୋଇଥାଏ। ଏହି ଗବେଷଣା ଆହୁରି ଅନେକ ନୂତନ ନନ୍-କୋଭାଲେଣ୍ଟ ବଣ୍ଡିଂ ପାଇଁ ଦ୍ୱାର ଉନ୍ମୁକ୍ତ କରିଛି। ବୈଜ୍ଞାନିକମାନେ ଏବେ କାର୍ବନ ବଣ୍ଡ, ନିକ୍ଟୋଜେନ ବଣ୍ଡ ଏବଂ ହାଲୋଜେନ ବଣ୍ଡ ଉପରେ ଅଧ୍ୟୟନ କରୁଛନ୍ତି, ଯାହା ସମାନ ଯୁକ୍ତି ଅନୁସରଣ କରେ। କିନ୍ତୁ ଏଥିରେ ଭିନ୍ନ ଭିନ୍ନ ପରମାଣୁ ବ୍ୟବହୃତ ହୁଏ। ମହାକାଶର ବରଫରେ ଜୀବନର ଉତ୍ପତ୍ତି ଖୋଜିବାଠାରୁ ଆରମ୍ଭ କରି ‘ଚାଇରାଲ ଲାଇଟ’ ବ୍ୟବହାର କରି ‘ଅଭେଦ୍ୟ’ କ୍ୱାଣ୍ଟମ ଏନକ୍ରିପ୍ସନ ବିକାଶ କରିବା ପର୍ଯ୍ୟନ୍ତ, ହାଇଡ୍ରୋଜେନ ବଣ୍ଡ୍ର ଏହି କାହାଣୀ ପ୍ରମାଣ କରେ ଯେ ଜଣେ ଛାତ୍ରର ଅଭିନବ ଚିନ୍ତାଧାରା ଆମର ବଣ୍ଡିଂ ସମ୍ବନ୍ଧୀୟ ଧାରଣାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇପାରେ।
(ଶେଷ ଭାଗ)
-ଡ. ହିମାଂଶୁ ଶେଖର ବିଶ୍ୱାଳ
ମୋ : ୯୧୭୮୩୧୧୧୮୮

