Posted inଖେଳ

ଏସିଆ କପ୍‌ର ହାଇବ୍ରିଡ୍‌ ମଡେଲ

ଏସିଆ କପ୍‌ କ୍ରିକେଟର ୧୬ଶ ସଂସ୍କରଣ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଭାରତ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ମନାକରିବା ପରେ ପ୍ରତିଯୋଗିତାର ଆୟୋଜନକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଆଇସିସିର ହସ୍ତକ୍ଷେପ ଫଳରେ ଟୁର୍ନାମେଣ୍ଟକୁ ହାଇବ୍ରିଡ୍‌ ମୋଡରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ଫଳସ୍ବରୂପ ପାକିସ୍ତାନରେ ୪ଟି ଏବଂ ଶ୍ରୀଲଙ୍କାରେ ଫାଇନାଲ ସମେତ ୯ଟି ମ୍ୟାଚ ଅନୁଷ୍ଠିତ ହେବ। ଭାରତ ଏହାର ମ୍ୟାଚ ଶ୍ରୀଲଙ୍କାରେ ଖେଳିବ।

ଏସିଆନ କ୍ରିକେଟ କାଉନସିଲ୍‌ (ଏସିସି) ଦ୍ୱାରା ଆୟୋଜିତ ଏସିଆ କପ୍‌ କ୍ରିକେଟ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାର ୧୬ ତମ ସଂସ୍କରଣ ଆୟୋଜନ ଅଧିକାର ପାକିସ୍ତାନ ପାଇଥିଲା। ମାତ୍ର ଭାରତ ଏସିଆ କପ୍‌ ମ୍ୟାଚ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ସିଧାସଳଖ ମନାକରିବା ପରେ ବିବାଦ ତୀବ୍ରରୂପ ଧାରଣ କରିଥିଲା। ଏପରିକି ଏସିଆ କପ୍‌ ବାତିଲ ହୋଇଯିବାର ଯଥେଷ୍ଟ ସମ୍ଭାବନା ଉପୁଜିଥିଲା। ୨୦୨୭ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଭାରତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ, ଏପରିକି ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ଭାରତ ସରକାର କହିବା ପରେ ଏହା ବାତିଲ ହେବାର ବହୁ ସମ୍ଭାବନା ରହିଥିଲା। ମାତ୍ର ଏସିସି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ଅନେକ ଥର ଆଲୋଚନା ସହିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ହସ୍ତକ୍ଷେପ ଫଳରେ ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟର ବେଶ୍‌ ଗୁରୁତ୍ୱ ରହିଛି ବୋଲି ଅନୁମାନ କରାଯାଇଥିଲା। ଫଳରେ ଏହାକୁ ହାଇବ୍ରିଡ୍‌ ମୋଡରେ ଖେଳାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ଏପରି ମଡେଲକୁ ପାକିସ୍ତାନ ପ୍ରଥମେ ଗ୍ରହଣ କରିପାରି ନ ଥିଲା। ପାକିସ୍ତାନ ଗସ୍ତରେ ଆସିଲେ ଭାରତକୁ ସମସ୍ତ ପ୍ରକାର ସୁରକ୍ଷା ପ୍ରଦାନ କରାଯିବା ସହିତ ଏହି ଟୁର୍ନାମେଣ୍ଟକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଭାରତ ତାହାକୁ ଗ୍ରହଣ କରି ନ ଥିଲା। ପାକିସ୍ତାନରେ ରାଜନୈତିକ ଭାଷଣବାଜି ଏବଂ ପୂର୍ବତନ ଖେଳାଳିମାନଙ୍କ ସମାଲୋଚନା ଟୁର୍ନାମେଣ୍ଟକୁ ଅନିଶ୍ଚିତତା ମଧ୍ୟକୁ ନେଇଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇସିସି ଏକଦିବସୀୟ ବିଶ୍ୱକପକୁ ଅକ୍ଟୋବରରେ ଭାରତ ଆୟୋଜନ କରିବ। ଏଥିପାଇଁ ଆଇସିସି ଏବଂ ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ କରାଯିବା ପରେ ମଧ୍ୟ ପାକିସ୍ତାନ ତା’ର ଜିଦ୍‌ରେ ଅଟଳ ରହିବା ସହିତ ଏହାକୁ ବର୍ଜନ କରିବା ପାଇଁ ଧମକ ଦେଲା। ମାତ୍ର ଏସିସି ଏକ ହାଇବ୍ରିଡ୍‌ ମଡେଲ ପ୍ରସ୍ତୁତ କରିବା ସହିତ ପାକିସ୍ତାନ ଆୟୋଜକ ହିସାବରେ ୪ଟି ମ୍ୟାଚ ଆୟୋଜନ କରିବ ଏବଂ ନିରପେକ୍ଷ ଭେନ୍ୟୁ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ପ୍ରଥମେ ୟୁଏଇରେ ଏହି ମ୍ୟାଚ ଖେଳାଯିବାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ମାତ୍ର ସେଠାରେ ଅତ୍ୟଧିକ ଗରମ ଯୋଗୁ ଏହା ଗ୍ରହଣୀୟ ହୋଇ ନ ଥିଲା। ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନକୁ ନେଇ ଏସିସିର ସମସ୍ତ ଆସୋସିଏଟ ମେମ୍ବର ଦେଶ ସହମତି ପ୍ରକାଶ କରିବା ପରେ ଏହି ହାଇଡ୍ରାମାର ଅନ୍ତ ଘଟିଥିଲା। ଏହି ମଡେଲ ଅନୁସାରେ ଭାରତ କୌଣସି ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ। ପାକିସ୍ତାନରେ ଉଦ୍‌ଘାଟନୀ ମ୍ୟାଚ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଶ୍ରୀଲଙ୍କାରେ ଫାଇନାଲ ଅନୁଷ୍ଠିତ ହେବ। ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୨ରେ କାଣ୍ଡିରେ ଖେଳିବ। ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏକଦିବସୀୟ ବିଶ୍ୱକପ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଅକ୍ଟୋବର ୧୪ରେ ଅହମଦାବାଦରେ ଭେଟିବେ। ଏସିଆନ ସବ୍‌କଣ୍ଟିନେଣ୍ଟରେ ବିଶ୍ୱକପ ଖେଳାଯାଉଥିବାରୁ ଏସିଆ କପ୍‌ ଖେଳାଳିମାନଙ୍କ ପାଇଁ ବେଶ୍‌ ଉପଯୋଗୀ ହେବ।
ଏସିଆ କପ୍‌ର ୧୬ ତମ ସଂସ୍କରଣରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ନେପାଳ ଏସିସିର ଆସୋସିଏଟ୍‌ ମେମ୍ବର ଦେଶ ରୂପେ ଏହି ପ୍ରତିଯୋଗିତା ଖେଳିବ। ଅଂଶଗ୍ରହଣ କରିବାକୁ ଥିବା ୬ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ଏବଂ ଗ୍ରୁପ୍‌-ବି’ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ରହିଛନ୍ତି। ସମସ୍ତ ୬ଟି ଦଳକୁ ନେଇ ଗ୍ରୁପ୍‌ ଏବଂ ନକ୍‌ଆଉଟ ପଦ୍ଧତିରେ ମ୍ୟାଚ ଖେଳାଯିବ। ସୁପର ଫୋର ପାଇଁ କ୍ୱାଲିଫାଏ କରିଥିବା ଦଳ ମଧ୍ୟରେ ୬ଟି ମ୍ୟାଚ ଅନୁଷ୍ଠିତ ହେବ। ସୁପର ଫୋରର ୨ଟି ଶ୍ରେଷ୍ଠ ଦଳକୁ ନେଇ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏସିସି ଏହି ଟୁର୍ନାମେଣ୍ଟକୁ ୨୦୨୧ରେ ନେପାଳରେ ଟି୨୦ ଫର୍ମାଟ୍‌ରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ତାହା ବାତିଲ ହେବା ପରେ ୨୦୨୨ରେ ଏହା ପାକସ୍ତାନରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାର ୧୪ତମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିବା ବେଳେ ୧୫ତମ ସଂସ୍କରଣରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ୬ଷ୍ଠ ଟାଇଟଲ ହାସଲ କରିଥିଲା। ଭାରତ ସୁପର ଫୋର ପର୍ଯ୍ୟାୟକୁ ମଧ୍ୟ ଉନ୍ନୀତ ହୋଇପାରି ନ ଥିଲା। ଏହି ୧୫ତମ ସଂସ୍କରଣର ଫାଇନାଲରେ ପାକିସ୍ତାନକୁ ୨୩ରନ୍‌ରେ ହରାଇ ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିବା ବେଳେ ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜଓ୍ବାନ ୨୮୧ ରନ୍‌ ସଂଗ୍ରହ କରିଥିଲେ ଏବଂ ଭାରତର ଭୁବନେଶ୍ୱର କୁମାର ସର୍ବାଧିକ ୧୧ଟି ଉଇକେଟ ନେଇଥିଲେ।
୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ଉଭୟ ଏକଦିବସୀୟ ଏବଂ ଟି-୨୦ ଫର୍ମାଟରେ ଖେଳାଯାଇ ଆସୁଛି। ଭାରତ ସର୍ବାଧିକ ୬ଥର ଏକଦିବସୀୟ ଫର୍ମାଟରେ ଚାମ୍ପିୟନ ହୋଇଥିବା ବେଳେ ଥରେ ଟି୨୦ ଫର୍ମାଟ୍‌ରେ ଚାମ୍ପିୟନ ହୋଇ ସର୍ବାଧିକ ୭ଥର ଟାଇଟଲ ବିଜୟୀ ହୋଇଛି। ଭାରତ ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦, ୧୦୧୬ ଓ ୨୦୧୮ରେ ଚାମ୍ପିୟନ ହୋଇଥିଲା। ଫାଇନାଲରେ ସର୍ବାଧିକ ୪ଥର ଶ୍ରୀଲଙ୍କାକୁ ହରାଇଥିବା ବେଳେ ୨ଥର ବାଂଲାଦେଶକୁ ପରାସ୍ତ କରିଛି। ଶ୍ରୀଲଙ୍କା ୬ଥର ଏବଂ ପାକିସ୍ତାନ ୨ଥର ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ଶ୍ରୀଲଙ୍କା ସମସ୍ତ ୧୫ଟି ସଂସ୍କରଣରେ ଭାଗ ନେଇଥିବା ବେଳେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ୧୪ଟି ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି।
ଅଭିଜ୍ଞ ଏବଂ ଯୁବ ଦଳକୁ ନେଇ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି। ୩ଟି ଫର୍ମାଟରେ ଯୁବଖେଳାଳିମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାକୁ ସୁଯୋଗ ପାଇଛନ୍ତି। ଭାରତ ଏହି ସରିଜରେ ଟେଷ୍ଟ ମ୍ୟାଚକୁ ୧-୦ରେ ଜିତିଥିବା ବେଳେ ଏକଦିବସୀୟ ସିରିଜକୁ ମଧ୍ୟ ୨-୧ରେ ଜିତିଛି। ୫ ମ୍ୟାଚବିଶିଷ୍ଟ ଟି୨୦ ସିରିଜ ସମ୍ପ୍ରତି ବେଶ୍‌ ରୋମାଞ୍ଚକର ସ୍ଥିତିରେ ୨-୧ରେ ରହିଛି। ଭାରତୀୟ ସ୍ପିନର କୁଳଦୀପ ଯାଦବ ବୋଲିଂରେ ଏବଂ ଆଇପିଏଲ୍‌ ଷ୍ଟାର ତିଳକ ବର୍ମା ବ୍ୟାଟିଂରେ ପ୍ରଭାବୀ ରହିଛନ୍ତି। ସୂର୍ଯ୍ୟକୁମାର ଯାଦବ ମଧ୍ୟ ୩ୟ ଟି୨୦ରେ ଏକ ଚମକତ୍ାର ଇନିଂସ ଖେଳି ଭାରତକୁ ବିଜୟ ଦେଇଛନ୍ତି। ଶେଷ ଦୁଇଟି ମ୍ୟାଚ ୟୁଏସ୍‌ର ଫ୍ଲୋରିଡାରେ ଅଗଷ୍ଟ ୧୨ ଏବଂ ୧୩ ତାରିଖରେ ଖେଳାଯିବ। କିଏ ସିରିଜ ଜିତିବ ତାହା ଏହି ୨ ମ୍ୟାଚରୁ ଜଣାପଡିବ। ଏନ୍ୟ ପକ୍ଷରେ ଏସିଆ କପ୍‌ ପାଇଁ ଭାରତୀୟ ଦଳ ଏହି ଟି୨୦ ସିରିଜ ପରେ ଘୋଷଣା ହେବ। ଏକ ଶକ୍ତିଶାଳୀ ଯୁବ ଏବଂ ଅଭିଜ୍ଞ ଦଳ ଚୟନ ଉପରେ ବିସିସିଆଇର ନଜର ରହିବ। ଦଳରେ ଯେପରି ସନ୍ତୁଳନ ବଜାୟ ରହିବ ତାହାକୁ ନିଶ୍ଚିତ ପ୍ରାଥମିକତା ଦିଆଯିବ। ସମ୍ପୂର୍ଣ୍ଣ ରୂପେ ବାତିଲ ହୋଇଯିବା ଅପେକ୍ଷା ଏହି ଟୁର୍ନାମେଣ୍ଟର ଆୟୋଜନ ହାଇବ୍ରିଡ୍‌ ମଡେଲ୍‌ରେ ହେବା ନିଶ୍ଚିତ ଶୁଭ ସୂଚନା।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା

ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ...

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri