ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା ଭରୁଆପାଲି ଗାଁରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩ ବର୍ଷର ଝିଅ ଲହୁଲୁହାଣ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ଭରୁଆପାଲି ଗାଁ ର ଜୟକିଷାନ କରୁଆଁ (୩୦) ବୁଧବାର ଅପରାହ୍ନୟରେ ମଦ ପିଇବାକୁ ନିଜ ସ୍ତ୍ରୀ ରଞ୍ଜିତା କରୁଆଁ (୨୫)କୁ ଟଙ୍କା ମାଗିଥିଲେ ସ୍ତ୍ରୀ ମନା କରିବାରୁ ଘରେ ଥିବା ସୁନାକୁ ଦେବାକୁ କହି ସୁନା ନେବା ପାଇଁ ଉଦ୍ୟମ କରିବା ବେଳେ ସ୍ତ୍ରୀ ତାଙ୍କ ସ୍ବାମୀ ଜୟକିଷାନଙ୍କୁ ବାରଣ କରିଥିଲେ। ସ୍ବାମୀ ଏତିକିରେ ଉତ୍କ୍ଷିପ୍ତ ହୋଇ ପାଖରେ ଥିବା ଏକ କୁରାଢ଼ିରେ ସ୍ତ୍ରୀଙ୍କୁ ହାଣି ହତ୍ୟା କରିଥିଲେ, ପରେ ପାଖରେ ଥିବା ଝିଅକୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସ୍ତ୍ରୀ ରଞ୍ଜିତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଝିଅକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବେଲପଡ଼ା ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରି ଝିଅ କ୍ରିଷ୍ଣାଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ବାରମ୍ବାର ବେଲପଡା ଅଞ୍ଚଳରେ ହତ୍ୟା, ଚୋରି ଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି l ବେଲପଡ଼ା ଅଞ୍ଚଳରେ ଥିବା ନିଶା ଖୋର୍ ବ୍ୟବସାୟୀଙ୍କ ଓ ଅସାମାଜିକ ଅପରାଧୀମାନଙ୍କ ବିରୋଧରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକେ ଦାବି କରିଛନ୍ତି।

