ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଯୌତୁକ ପାଇଁ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୁକ୍ତ ସୀତାରାମ ମାଝୀଙ୍କୁ ମାନ୍ୟବର ଜିଲା ଏବଂ ସେସନ୍ସ ଜଜ୍‌ ଅନୁପ ରଞ୍ଜନ ପଟ୍ଟନାୟକ ଦୋଷୀ ସାବ୍ୟସ୍ତ କରି ଏହି କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ବଣ୍ଡେଲ ଗ୍ରାମରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ପରେ ଗତ ୧୭.୦୫.୨୪ ରିଖରେ ମୃତ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଥୁଆମୂଳ ରାମପୁର ପୋଲିସ କେସ୍‌ ନମ୍ବର ୯୨/୨୦୨୪ ଅନୁଯାୟୀ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାଟି ସିଟି କେସ୍‌ ନମ୍ବର ୧୦୪/୨୦୨୪ ଭାବେ କୋର୍ଟରେ ବିଚାରାଧୀନ ଥିଲା। ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସୀତାରାମଙ୍କୁ ଆଇପିସି ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଏଥିସହିତ ଯୌତୁକ ଜନିତ ମୃତ୍ୟୁ ପାଇଁ ଦଫା ୩୦୪-ବି ଅନୁଯାୟୀ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୫,୦୦୦ ଟଙ୍କା ଜରିମାନା ଏବଂ ଦଫା ୪୯୮-ଏ ଅନୁଯାୟୀ ୨ ବର୍ଷ ଜେଲ ଦଣ୍ଡ ସହ ୪୯୦ ଟଙ୍କା ଜରିମାନା କରିଛନ୍ତି। ଏହି ସମ୍ପୂର୍ଣ୍ଣ ମାମଲାକୁ ସରକାରୀ ଓକିଲ ମନୋଜ କୁମାର ମେହେର ପରିଚାଳନା କରୁଥିଲେ। ଅଦାଲତଙ୍କ ଏହି ରାୟ ସମାଜରେ ଯୌତୁକ ଲୋଭୀଙ୍କ ପାଇଁ ଏକ କଠୋର ଚେତାବନୀ ସଦୃଶ ହୋଇଛି।

Dharitri –Odisha’s No.1 Trusted Odia Daily

Share