ଅଗ୍ନିକାଣ୍ଡରେ ଜଳିଗଲା ଶହଶହ ଧାନ ବିଡ଼ା

ପାଟଣା,୧୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଭୁଲୁଦା ମଝି ସାହି ଖଳାରେ ଶନିବାର ରାତିରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଚାଷୀ ଶହଶହ ଧାନ ବିଡ଼ା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଖଳାରେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଜଣାପଡ଼ିନାହିଁ।

ସୂଚନାନୁଯାୟୀ, ଗାଁର ନନ୍ଦକିଶୋର ନାଏକ, ମହେନ୍ଦ୍ର ନାଏକ ଓ ନରୋତ୍ତମ ନାଏକ ଧାନ ଖଳା କରି ରଖିଥିବା ବେଳେ ରାତିରେ ଖଳାରେ ମହଜୁଦ୍‌ ଥିବା ଧାନ ବିଡ଼ା ହୁତୁ ହୁତୁ ହୋଇ ଜଳୁଥିବା ଲୋକେ ଦେଖିଥିଲେ। ଖଳା ନିକଟରେ ପାଣିର ଉତ୍ସ ନ ଥିବାରୁ ଉପସ୍ଥିତ ଯୁବକ ଅର୍ଦ୍ଧାଧିକ ବିଡ଼ାକୁ ବୋହି ସୁରକ୍ଷିତ ରଖିଥିଲେ। ୩ ଚାଷୀଙ୍କ ଶତାଧିକ ଧାନ ବିଡ଼ା ପୋଡ଼ିଯାଇଥିଲା। ବିଳମ୍ବରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।