Categories: ଅନୁଗୋଳ

ହମ୍ପସ୍‌ ବଢ଼ାଉଛି ରାଜପଥରେ ଦୁର୍ଘଟଣା

କଣିହାଁ,୨୧।୩(ଡି.ଏନ.ଏ.): ୫୩ନଂ. ଜାତୀୟ ରାଜପଥର କଣିହାଁ ବ୍ଲକ ସଦର ମହକୁମା ଠାରେ ଏକ ନୂଆ ହମ୍ପସ୍‌ ନିର୍ମାଣ କରାଯାଇଛି। ହେଲେ ନିୟମ ଅନୁସାରେ ଗାଡ଼ି ଚାଳକଙ୍କ ଅବଗତି ନିମନ୍ତେ ସେଠାରେ କୌଣସି ସଂକେତ ଦିଆଯାଇ ନାହିଁ। ଫଳରେ ଗତ ୫ ଦିନ ମଧ୍ୟରେ ଏହି ହମ୍ପସ୍‌ରେ ଖସିପଡ଼ି ୨ଜଣ ଗୁରୁତର ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଥିବା ବଜାରବାସୀ ଅଭିଯୋଗ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଏପରି ଖାମଖିଆଲ କାର୍ଯ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବଜାର ମଧ୍ୟରେ ରାଜପଥରେ ଦ୍ରୁତଗତିରେ ଗାଡ଼ି ଚାଳନା ଏବଂ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ହମ୍ପସ୍‌ ନିର୍ମାଣ କରାଯାଇଛି। ହେଲେ ଏହା ଦୁର୍ଘଟଣା ରୋକିବା ପରିବର୍ତ୍ତେ ଦୁର୍ଘଟଣାର କାରଣ ପାଲଟିଛି। ସଡ଼କ ସୁରକ୍ଷା ନିୟମ ଅନୁଯାୟୀ ହମ୍ପସ୍‌ର ଯଥେଷ୍ଟ ପୂର୍ବରୁ ଏ ନେଇ ନିର୍ଦ୍ଦିଷ୍ଟ ସଂକେତ ବ୍ୟବହାର କରାଯିବା କଥା। ଏହାଦ୍ୱାରା ଗାଡ଼ି ଚାଳକମାନେ ହମ୍ପସ୍‌ର ଅବସ୍ଥିତି ସମ୍ପର୍କରେ ସୂଚନା ପାଇପାରିଥାନ୍ତି ଓ ତଦନୁଯାୟୀ ସତର୍କତାର ସହ ଗାଡ଼ି ଚାଳନା କରିଥାନ୍ତି। କିନ୍ତୁ ରାଜପଥ ମରାମତି ବେଳେ ଏନ୍‌ଏଚ୍‌ଏଆଇ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇନାହିଁ। ଏପରି କି ଖାଲଖମା ସାମାନ୍ୟ ମରାମତି କରିଥିଲେ ମଧ୍ୟ ରାସ୍ତା ପାର୍ଶ୍ୱରେ ଥିବା ବଡ଼ ବଡ଼ ଖାଲ ପୂରଣ କରାଯାଇ ନାହିଁ। ଏହା ଦୁର୍ଘଟଣାର କାରଣ ହେଉଥିବା ବେଳେ କଣିହାଁ ମେଡିକାଲ ଟର୍ନିଂ ପଏଣ୍ଟରେ ନୂଆକରି ହମ୍ପସ୍‌ ନିର୍ମାଣ ଓ ସଂକେତ ବ୍ୟବହାର କରା ନ ଯିବା ସମସ୍ୟାକୁ ଅଧିକ ବଢ଼ାଇ ଦେଉଛି। ତୁରନ୍ତ କର୍ତ୍ତୃପକ୍ଷ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲା ପରିଷଦ ସଦସ୍ୟ ରଞ୍ଜନ ସାହୁ କହିଛନ୍ତି, ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ।