କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର କଡ଼ା ନିଷେଧାଦେଶ ରହିଛି। ହେଲେ ସମ୍ବଲପୁର ଜିଲାରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଜମନକିରା ବ୍ଲକ ଦେଇ ଯାଇଥିବା କୁଚିଣ୍ଡା-ଭୋଜପୁର ଜାତୀୟ ରାଜପଥ ୨୦୦ରେ ଥିବା ହମ୍ପସ ଏବେ ଯାତ୍ରୀ ଓ ଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଛି।
ତବଲାକଟା ନିକଟରେ ୨ଟି ବଡ଼ ବଡ଼ ଉଚ୍ଚତା ବିଶିଷ୍ଟ ହମ୍ପସ କୁଚିଣ୍ଡାଠାରୁ ଭୋଜପୁର ସଂଯୋଗ କରୁଥିବା ଏହି ମୁଖ୍ୟ ରାଜପଥର ତବଲାକଟା ଗ୍ରାମ ନିକଟରେ ନିର୍ମାଣ କରାଯାଇଛି। ଦ୍ରୁତଗତିରେ ଯାଉଥିବା ଯାନବାହନଗୁଡ଼ିକ ଏହି ହମ୍ପସ ସମ୍ପର୍କରେ ପୂର୍ବରୁ ସୂଚନା ନ ପାଇ ହଠାତ୍‌ ବ୍ରେକ୍‌ ମାରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏଠାରେ ପ୍ରତିଦିନ ବାଇକ୍‌ ଆରୋହୀ ଛିଟିକି ପଡ଼ି ଆହତ ହେବା ସହ ଚାରିଚକିଆ ଯାନଗୁଡ଼ିକ ମଧ୍ୟ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛି। କାର୍‌ଗୁଡ଼ିକର ତେଲ ଚାମ୍ବର ମଧ୍ୟ ହମ୍ପସରେ ପିଟିହୋଇ ଫାଟିଯାଉଥିବା ଅଭିଯୋଗ ହେଉଛି। ରାତ୍ରି ସମୟରେ କୌଣସି ଆଲୋକୀକରଣ କିମ୍ବା ରେଡିୟମ ସାଇନେଜ୍‌ ନ ଥିବାରୁ ବିପଦ ଆହୁରି ବଢ଼ିଯାଉଛି। ଏହା ବ୍ୟତୀତ ଉକ୍ତ ରାଜପଥରେ ଦୀର୍ଘଦିନରୁ ଅବ୍ୟବହାର୍ଯ୍ୟ ହୋଇ ପଡ଼ିରହିଥିବା ଏକ ଟୋଲ୍‌ଗେଟ୍‌ ନିକଟରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ ହମ୍ପସ ରହିଛି। ଟୋଲ୍‌ ଗେଟ୍‌ କାର୍ଯ୍ୟକ୍ଷମ ନ ଥିଲେ ମଧ୍ୟ ସେଠାରେ ଥିବା ଧାଡ଼ି ଧାଡ଼ି ସ୍ପିଡ୍‌ ବ୍ରେକର ଯୋଗୁ ଯାନବାହନ ଚଳାଚଳ ଗମ୍ଭୀର ଭାବେ ବାଧାପ୍ରାପ୍ତ ହେଉଛି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ଅଦରକାରୀ ହମ୍ପସଗୁଡ଼ିକୁ ତୁରନ୍ତ ସଫା କରିବାକୁ ସ୍ଥାନୀୟ ଲୋକେ ଓ ଚାଳକମାନେ ଦାବି କରିଆସୁଛନ୍ତି। ଭାରତୀୟ ସଡ଼କ କଂଗ୍ରେସ (ଆଇଆର୍‌ସି) ଏବଂ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନିୟମ ଅନୁସାରେ, ହାଇସ୍ପିଡ୍‌ ଜାତୀୟ ରାଜପଥର ମୁଖ୍ୟ କ୍ୟାରିଏଜିଓ୍ବେ ଉପରେ ଏଭଳି ସ୍ପିଡ୍‌ ବ୍ରେକର ବା ହମ୍ପସ ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ରାଜପଥରେ ଥିବା ସମସ୍ତ ବେଆଇନ ହମ୍ପସକୁ ଚିହ୍ନଟକରି ସ୍ଥାନୀୟ ପ୍ରଶାସନ ଓ ପୂର୍ତ୍ତ ବିଭାଗ ତୁରନ୍ତ ଉଚ୍ଛେଦ କରିବେ। ଏଭଳି ବେଆଇନ ଚିହ୍ନଟ ହୀନ ହମ୍ପସ ଯୋଗୁ ଯଦି କୌଣସି ଧନଜୀବନ ହାନି ଘଟେ, ତେବେ ତାହା ପ୍ରଶାସନିକ ଅବହେଳା ଭାବେ ବିଚାର କରାଯିବ। କୌଣସି ବଡ଼ ଧରଣର ଅଘଟଣ ବା ପ୍ରାଣହାନି ଘଟିବା ପୂର୍ବରୁ ଏନ୍‌ଏଚ୍‌ଏଆଇ, ସମ୍ବଲପୁର ଜିଲା ଓ ଜମନକିରା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ତବଲାକଟା ନିକଟରେ ଥିବା ବିପଜ୍ଜନକ ହମ୍ପସ ଏବଂ ଅବ୍ୟବହୃତ ଟୋଲ୍‌ଗେଟ୍‌ ପାଖରେ ଥିବା ଅନାବଶ୍ୟକ ହମ୍ପସଗୁଡ଼ିକକୁ ହଟାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରୁ ଜୋର୍‌ଦାର ଦାବି ହେଉଛି।

 

Dharitri – Odisha’s No.1 Odia Daily

 

Share