ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ ଚାଲିଛି। ନଦୀଜଳର ସୁମଧୁର ବାରିଧାରା, କେନାଲ ପାଣିର ଉପଯୁକ୍ତ ବିନିଯୋଗ ଏବଂ ସମୟୋପଯୋଗୀ ମୌସୁମୀ ବର୍ଷାର ସ୍ପର୍ଶ ଚାଷ, ଅମଳ ଓ କୃଷି କ୍ଷେତ୍ରରେ ଯଥେଷ୍ଟ ଉତ୍କର୍ଷ ସାଧନ କରିପାରିଛି। ମହୋଦଧିର ଅବବାହିକାରେ କ୍ଷେପଣାସ୍ତ୍ର ପ୍ରେରଣ, ଗମନାଗମନ ଓ ପରିଚାଳନାର ସୁଯୋଗ ମଧ୍ୟ ବେଶ୍ ବୃଦ୍ଧି ପାଇଛି। ବିଶେଷ ଭାବରେ ଦେବଭୂମି ଭାରତବର୍ଷ ବସୁନ୍ଧରା ମାତାଙ୍କ ଅବଦାନରେ ପରିପୁଷ୍ଟ ହୋଇ ବିଶ୍ୱ ଦରବାରରେ ସମ୍ମାନିତ ହୋଇପାରିଛି। ଘୋର ଦୁଃଖ ଓ ପରିତାପର ବିଷୟ ଯେ, ଉପମହାଦେଶ ‘ଭାରତ’ ଆଜି ଜନସଂଖ୍ୟା ବିସ୍ଫୋରଣରେ ଆଉଟୁପାଉଟୁ ହୋଇ ଚିନ୍ତାଶୀଳ ହୋଇପଡ଼ିଛି। ପୃଥିବୀର ସର୍ବବୃହତ୍ ଦେଶ ଭାବେ ଏହା ପରିଗଣିତ ହେବା ସହିତ ସବୁଜ ଗୃହର କ୍ରମବର୍ଦ୍ଧିଷ୍ଣୁ ନକାରାତ୍ମକ ପ୍ରଭାବ ଓ ଉତ୍ତପ୍ତୀକରଣ ପ୍ରକ୍ରିୟାରେ ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ଯାଇଛି। ବିପୁଳ ଜନସଂଖ୍ୟା ସହିତ ମାତ୍ରାଧିକ ଯାନବାହନର ବ୍ୟବହାର, ନଦୀମାତୃକା ଦେଶର ସ୍ବଚ୍ଛ ଓ ନିର୍ମଳ ଜଳ ସମୂହକୁ ଧୀରେ ଧୀରେ ପ୍ରଦୂଷିତ କରିବାରେ ଲାଗିଛି। ସମସ୍ୟା ଏପରି ହେଲାଣି ଯେ, ପାନୀୟଜଳ କିଣିବା ପାଇଁ ବ୍ୟକ୍ତିବିଶେଷ ବାଧ୍ୟ ହେଉଛନ୍ତି। ଘରେ ଘରେ ଜଳ ବିଶୋଧନର ସାମଗ୍ରୀ ଖଞ୍ଜିବା ପାଇଁ ଲୋକେ ସଜାଗ ରହୁଛନ୍ତି। ଏଣୁ ପାନୀୟଜଳ ବିଶୋଧନ ପାଇଁ ଆମେ ସାମୂହିକ ଭାବେ ସର୍ବାଦୌ ସଚେତନ ରହିବା ସମୀଚୀନ ମନେହୁଏ।
ପ୍ରଦୂଷିତ ପାଣିରେ କ୍ଷତିକାରକ ପଦାର୍ଥମାନ ଭାସମାନ ଓ ଦ୍ରବୀଭୂତ ଅବସ୍ଥାରେ ମହଜୁଦ ଥାଏ। ଭାସୁଥିବା ଅନିର୍ମଳ ପାଣିକୁ ଛାଣିଦେଲେ ଜଳ କିଛି ପରିମାଣରେ ନିର୍ମଳ ହୋଇଥାଏ। ତା’ପରେ ଉକ୍ତ ପାଣିକୁ ୧୦୦୦ ଡିଗ୍ରୀ ତାପମାତ୍ରାରେ ଫୁଟାଇଦେଲେ, ୧୫ରୁ ୨୦ ମିନିଟ୍ ମଧ୍ୟରେ ଜୀବାଣୁ ସମୂହ ନଷ୍ଟ ହୋଇଯାଆନ୍ତି ଓ ତାହା ପାନୀୟ ଉପଯୋଗୀ ହୋଇଥାଏ। ଏତଦ୍ବ୍ୟତୀତ ଫିଲ୍ଟର ପେପର ମାଧ୍ୟମରେ ମଧ୍ୟ ଜଳକୁ ବିଶୋଧନ କରାଯାଏ। ଏହି ପ୍ରକ୍ର୍ରିୟାକୁ ଫିଲ୍ଟ୍ରେସନ କୁହାଯାଏ। ଯଦି ପାଣିରେ ଅତ୍ୟଧିକ ମାତ୍ରାରେ କାଦୁଅ ଓ କଳଙ୍କି ମାଟି ପରି ପ୍ରଦୂଷଣ ଥାଏ, ତାହାହେଲେ ଉକ୍ତ ପାଣିକୁ ସଂଗ୍ରହ କରି ତାକୁ ସ୍ବଚ୍ଛପାତ୍ରରେ ଅନ୍ତତଃ ଅଧଘଣ୍ଟାଏ ରଖିଦେଲେ ଅଦରକାରୀ ଓ ଅଶୁଦ୍ଧ ପଦାର୍ଥଗୁଡ଼ିକ ନିମ୍ନଗାମୀ ହୋଇ ତଳେ ରହି ଯାଇଥାଏ। ଏହା ଏକ ସୁବିଧାଜନକ ମାଧ୍ୟମ, ଏହାକୁ ଇଂଲିଶ୍ରେ ‘ସେଡିମେଣ୍ଟେଶନ’ କୁହାଯାଏ। ଉପରିସ୍ଥ ଶୁଦ୍ଧ ଜଳକୁ ଆଉ ଏକ ପାତ୍ରକୁ ଢାଳିଦେଲେ ଏହା ପାନୀୟ ଉପଯୋଗୀ ହୋଇଥାଏ; ଏତାଦୃଶ କାର୍ଯ୍ୟକ୍ରମକୁ ଇଂଲିଶ୍ରେ ‘ଡିକାଣ୍ଟେଶନ’ କୁହାଯାଏ। କିଛି କିଛି ସ୍ଥାନ ବିଶେଷରେ ମଧ୍ୟ ଜଳରେ କ୍ଲୋରିନ ଟାବ୍ଲେଟ ପକାଇ ବା କ୍ଲୋରିନ୍ ଗ୍ୟାସ ଚାଳନା କରି ଜଳକୁ ବିଶୋଧନ କରାଯାଏ। ‘କ୍ୟାଲସିୟମ ଅକ୍ସିକ୍ଲୋରାଇଡ୍ରେ ଯେଉଁ ‘ନାସେଣ୍ଟ ଅକ୍ସିଜେନ’ ଦ୍ରବୀଭୂତ ଅବସ୍ଥାରେ ଥାଏ, ତାହା ସକ୍ରିୟ ହୋଇ ଜଳକୁ ବିଶୋଧିତ କରିଥାଏ। ଏହି ପଦ୍ଧତିକୁ ‘କ୍ଲୋରିନେସନ’ କୁହାଯାଏ।
ଓଜନିଆ ଦ୍ରବୀଭୂତ ଧାତବ ଦ୍ରବ୍ୟର କ୍ଷତିକାରକ ପରିଣାମ ବିଷୟରେ କିଛି ସୂଚନା ଦେବା ଠିକ୍ ହେବ। ଏତାଦୃଶ ବସ୍ତୁ ବିଶେଷଗୁଡ଼ିକର ଡେନ୍ସିଟି, ସ୍ପେସିଫିକ ଗ୍ରାଭିଟି ଓ ଆଟୋମିକ୍ ୱେଟ ସାଧାରଣତଃ ଅଧିକ ହୋଇଥାଏ। ଏହି ଦ୍ରବୀଭୂତ ପଦାର୍ଥଗୁଡ଼ିକ ଖୋଲା ଆଖିରେ ଦୃଶ୍ୟମାନ ହେବା ଅସମ୍ଭବ। ଏହାକୁ ପରଖିବା ପାଇଁ ଅଣୁବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ହୋଇଥାଏ। କିଛି ହେଭି ମେଟାଲ୍ସ ଯଥା କୋବାଲ୍ଟ, କପର୍, ଜିଙ୍କ ଓ ମାଙ୍ଗାନିଜ ପ୍ରଭୃତି ଯଦି ପାଣିରେ ଆବଶ୍ୟକ ମୁତାବକ ରହିଥାଏ, ତାହା ସ୍ବାସ୍ଥ୍ୟ ପକ୍ଷରେ ହିତକାରକ; ଆଉ କିଛି ଦ୍ରବୀଭୂତ ଓଜନିଆ ଧାତବ ପଦାର୍ଥ ଯଥା ମର୍କ୍ୟୁରି, ଲେଡ୍, କାଡାସିୟମ୍, ଆର୍ସେନିକ, ନିକେଲ, କ୍ରୋମିୟମ୍ ଯଦି ମାତ୍ରାଧିକ ପରିମାଣରେ ପାନୀୟ ଜଳରେ ମହଜୁଦ ଥାଏ, ତେବେ ଫଳାଫଳ ବେଶ୍ ଦୁର୍ବିଷହ ହୋଇଥାଏ। ମାନସିକ ପ୍ରକ୍ରିୟା ଦୁର୍ବଳ ହୁଏ ଏବଂ କେନ୍ଦ୍ରୀୟ ସ୍ନାୟୁଶକ୍ତି ନିଷ୍କ୍ରିୟ ହୋଇପଡ଼େ। ଫଳରେ ଫୁସ୍ଫୁସ୍, ଯକୃତ ଓ ବୃକକ୍ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ଅନ୍ୟପକ୍ଷରେ ଏହି ଦ୍ରବୀଭୂତ ବିଷାକ୍ତ ପଦାର୍ଥଗୁଡ଼ିକ କର୍କଟ ରୋଗ ସୃଷ୍ଟି କରିବାରେ ମଧ୍ୟ ସୁଯୋଗ ଦେଇଥାଏ। ବିଶେଷଭାବରେ ଶିଶୁ ଓ କିଶୋରମାନେ ଏହି ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥାଆନ୍ତି। ସମୀକ୍ଷା ଓ ଗବେଷଣାରୁ ଜଣାଯାଏ ଯେ, କପର୍ ଓ ନିକେଲର ପରିମାଣ ପାଣିରେ ଅଧିକ ରହିଲେ ଏହା ଚକ୍ଷୁ, ଯକୃତ ଓ ଚର୍ମ ସମୂହକୁ କ୍ଷତି ପହଞ୍ଚାଇଥାଏ ଏବଂ କର୍କଟ ରୋଗର କାରଣ ମଧ୍ୟ ହୋଇଥାଏ। ମହିଳାଙ୍କ ଶରୀରରେ ଆଲର୍ଜିକ ପ୍ରତିକ୍ରିୟା ପରିଦୃଶ୍ୟମାନ ହୋଇଥାଏ। ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଜିଙ୍କ୍ ପରି ଏକ ହେଭି ମେଟାଲର ମାତ୍ରା କମିଗଲେ, ଏହା କ୍ରନ୍ସ ଓ ସିଲିଆକ୍ ରୋଗ ସୃଷ୍ଟି କରିଥାଏ। ତେଣୁ ସ୍ଥଳ ବିଶେଷରେ ଗବେଷକମାନେ ଔଷଧରେ କିଛି ପରିମାଣରେ ଜିଙ୍କ୍ ମିଶାଇ ଥାଆନ୍ତି, ଯାହା ଶରୀର ପାଇଁ ହିତକାରକ ହୋଇଥାଏ।
ଏ ସବୁର ପ୍ରତିକାର ହେଲା କେଣ୍ଟ ୱାଟର, ଯାହା ରିଭର୍ସ ଓସ୍ମୋସିସ ପ୍ରକ୍ରିୟାରେ ଓଜନିଆ ଦ୍ରବୀଭୂତ ଦ୍ରବ୍ୟଗୁଡ଼ିକୁ ପାନୀୟ ଜଳରୁ ବାହାର କରିଦେଇଥାଏ। ଏହି ଜଳ ବ୍ୟବହାର କଲେ ମନୁଷ୍ୟସମାଜ ସମ୍ଭବତଃ ସୁସ୍ଥ ରହିବାର ସମ୍ଭାବନା ରହିଛି। ଏଣୁ ସରକାର ଓ ପ୍ରଶାସନ ବିଶୋଧିତ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ଉଚିତ। ଏହା ସହିତ କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଉପରେ କଟକଣା ଜାରି କରିବା, ଅବିରତ ଯାନବାହନ ଚଳାଚଳକୁ ବନ୍ଦ କରିବା, ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ସଂଖ୍ୟା ଉପରେ ଦୃଷ୍ଟିଦେବା, ବର୍ଷାଜଳ ସଂରକ୍ଷଣ କରିବା, ଜଙ୍ଗଲ ସୃଷ୍ଟି ଉପରେ ଧ୍ୟାନ ଦେବା ଉଚିତ। ଫଳ ସ୍ବରୂପ ସମାଜ ସୁସ୍ଥ ରହିବ, ବ୍ୟକ୍ତି ବିଶେଷଙ୍କର ଭାବାବେଗ ଅଧିକ ହେବ। ସାମୂହିକ ଉଦ୍ୟମ ମାଧ୍ୟମରେ ଦେଶ ସୁଜଳା, ସୁଫଳା ଓ ଶସ୍ୟଶ୍ୟାମଳା ହେବ। ଏକବିଂଶ ଶତାବ୍ଦୀର ମଧ୍ୟଭାଗ ସମାଜ ପାଇଁ ଆଣିଦେବ ଏକ ଅଭୂତପୂର୍ବ ଶାନ୍ତିର ଚିରସ୍ରୋତା ନିର୍ଝରିଣୀ।
ଡା. ଜୀବନ କୃଷ୍ଣ ମିଶ୍ର
– ପୁୁରୁଣା ଭୁବନେଶ୍ୱର
ମୋ: ୯୯୩୮୬୫୮୭୫୬

