ମାନବିକ ଅଧିକାର ଦିବସ ପାଳିତ

ବେଗୁନିଆପଡ଼ା,୧୦।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା କୋଦଳା ତାଲୁକା ଲିଗାଲ ସର୍ଭିସେସ୍‌ କମିଟି ପକ୍ଷରୁ ଶନିବାର ମାନବାଧିକାର ଦିବସ ପାଳିତ ହୋଇଯାଇଛି। କୋଦଳା ସରସତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲୁକା ଲିଗାଲ ସର୍ଭିସେସ୍‌ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜଜ୍‌ ଚିନ୍ମୟ ଗଛାୟତ ଯୋଗ ଦେଇଥିଲେ।
୧୦ ଡିସେମ୍ବର ୧୯୪୮ରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାନବାଧିକାରର ସାର୍ବଭୌମ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା। ଜାତିସଂଘ ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ମାନବାଧିକାର ଦିବସ ପାଳିତ ହୋଇଆସୁଛି। ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବା ସହ ଭେଦଭାବ ଭଳି ସମସ୍ୟାର ସମାଧାନ ପାଇଁ ଜାତିସଂଘ ମାନବାଧିକାର ଦିବସ ପାଳନ କରିବାକୁ ଉତ୍ସାହିତ କରିଥାଏ। ତେବେ ସମସ୍ତଙ୍କ ପାଇଁ ନ୍ୟାୟ, ସାଧୀନତା ଓ ମର୍ଯ୍ୟାଦା ପରିପ୍ରେକ୍ଷୀରେ ଆମ ଦେଶରେ ଆଜି ‘ମାନବିକ ଅଧିକାର କେତେ ସୁରକ୍ଷିତ’, ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ତାରିଣୀ ପଟ୍ଟନାୟକ, ସୋମନାଥ ବେହେରା, ପ୍ରଫୁଲ୍ଲ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ରଜନୀକାନ୍ତ ବେହେରା, ବିଜୟାଲକ୍ଷ୍ମୀ ପଟ୍ଟନାୟକ, ଜର୍ମି ଅଲ୍ଲୀ ଖାଁ, ଉପସଭାପତି ବାମଦେବ ପଣ୍ଡା ଛାତ୍ରୀଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲା କୋର୍ଟ ଜୁନିଅର କିରାଣି ଦିଲ୍‌ଦାର୍‌ ଦିଲସନ ଆଲମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।