ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର ୧୧ ରେ ଥିବା ଏକ ସ୍କୁଲ ବସ ଉପରେ ହଠାତ ଏକ ବିଶାଳ ଅଶ୍ୱତ୍ଥ ଗଛ ଭାଙ୍ଗି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ ଭିତରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ଯାହାଫଳରେ ସେଠାରେ ଆତଙ୍କର ଖେଳିଯାଇଥିଲା।
ଘଟଣାର ସୂଚନା ପାଇ ମୁମ୍ବାଇ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ, ୧୦୮ ଆମ୍ବୁଲାନ୍ସ ଏବଂ ବିଏମସି (BMC)ର ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ ଭିତରେ ଫସି ରହିଥିବା ପିଲାମାନଙ୍କୁ ବାହାରକୁ ଅଣାଯାଇଥିଲା। ପୋଲିସର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ ଜଣ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଚେମ୍ବୁରର ଜେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ଅପରପକ୍ଷେ ମୁମ୍ବାଇ ସଂଲଗ୍ନ ଠାଣେ ଅଞ୍ଚଳରେ ମଧ୍ୟ ଗଛ ପଡ଼ି ଆଉ ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳ  ସମୟରେ ୱାଗଲେ ଇଷ୍ଟେଟ ଅଞ୍ଚଳରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ (RDMC) ର ମୁଖ୍ୟ ୟାସିନ ତଡଭୀ ଦେଇଥିବା ସୂଚନା ଅନୁଯାୟୀ, ୫୨ ବର୍ଷୀୟ ପବନ ଝା ନାମକ ଜଣେ ବ୍ୟକ୍ତି ପାଦରେ ଚାଲି ଚାଲି ନିଜ ଅଫିସକୁ ଯାଉଥିବା ବେଳେ ହଠାତ ତାଙ୍କ ଉପରେ ଗଛଟି ପଡ଼ିଯାଇଥିଲା।
ଏହି ଦୁର୍ଘଟଣାରେ ପବନଙ୍କ ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ଏକ ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି। ଏହା ବ୍ୟତୀତ ରାସ୍ତା କଡ଼ରେ ପାର୍କିଂ କରାଯାଇଥିବା ପ୍ରାୟ ୧୦ଟି ଗାଡ଼ି ଏହି ଗଛ ପଡ଼ିବା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଗଛଟି ପଡ଼ିବା ପରେ ରାସ୍ତା ଜାମ ହୋଇଯାଇଥିବାରୁ ୱାଗଲେ ପୋଲିସ, ପୌର ନିଗମର ବୃକ୍ଷ ପ୍ରାଧିକରଣ ବିଭାଗ ଏବଂ RDMC ଟିମ ମିଳିତ ଭାବେ ରାସ୍ତାରୁ ଗଛ ହଟାଇବା ସହ ଗାଡ଼ିଗୁଡ଼ିକୁ ସେଠାରୁ ଦୂର କରି ଟ୍ରାଫିକ ସ୍ବାଭାବିକ କରିଛନ୍ତି।

Share