ବୁଗୁଡା,୨୩।୬(କାଳିଚରଣଦାଶ): ବୁଗୁଡ଼ା-ପୋଲସରା ମୁଖ୍ୟ ସଡ଼କ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ ମୋହିଦଣ୍ଡାଠାରେ ଏକ ବିରାଟ ଶୁଖିଲା ଥୁଣ୍ଟା କାକପୋଇ ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡ଼କ ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରମାନେ ଯାତାୟାତ କରନ୍ତି । ରାସ୍ତା କଡରେ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ , ଛାତ୍ରୀଛାତ୍ର ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି। ଫେବୃଆରୀ ୨୫ରେ ସେହି ଗଛକୁ ଧକ୍କା ଦେଇ ଗୋଳାବନ୍ଧ ଗ୍ରାମର ରାଜେନ୍ଦ୍ର ଜେନା ନାମକ ଜନୈକ ଟ୍ରକ ଚାଳକ ମୃତ୍ୟୁ ବରଣ କରିଥିଲେ। ପ୍ରଶାସନିକ ଉଦାସୀନତା ହେତୁ ସେହି ଟ୍ରକଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଦ୍ୟାବଧି ସେହି ଗଛକୁ ଲାଖିକରି ରହିଥିବା ବେଳେ ଗତ ଏପ୍ରିଲ ୧୧ରେ ସକାଳେ ଦୁର୍ଘଟଣାଗ୍ରସ୍ତ ସେହି ଟ୍ରକକୁ ଧକ୍କା ଦେଇ କାରରେ ଆସୁଥିବା ବୁଗୁଡା ଅରବିନ୍ଦନଗର ଅଞ୍ଚଳର ଏକ ପରିବାରର ମାଆ ଓ ଦୁଇ ଝିଅ ଗୁରୁତର ଭାବେ ଆହତ ହୋଇଥିଲେ। ଫଳରେ ସେହି ଦୁର୍ଘଟଣା ସ୍ଥଳକୁ ଅତିକ୍ରମ କଲାବେଳେ ଜାଣିବା ଶୁଣିବା ଲୋକଙ୍କ ମନରେ ସେହି ପୁରୁଣା ମର୍ମନ୍ତୁଦ ଅଘଟଣ ଉଙ୍କି ମାରୁଥିବା ବେଳେ ଏବେ ଶୁଖିଲା ଥୁଣ୍ଟା ଗଛଟି ବିପଦର ଆଶଙ୍କା ଉପୁଜାଉଛି। ପ୍ରକାଶ ଥାଉ କି , ଗତ ସପ୍ତାହରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ପୋଲସରାରୁ ନିଜ ଗାଁକୁ ଫେରୁଥିବା ବେଳେ ଉକ୍ତ ଥୁଣ୍ଟା ଗଛରୁ ଶୁଖିଲା ଛୋଟ ଡାଳଟିଏ ଖସି ସେମାନଙ୍କ ଉପରେ ପଡିଯିବାରୁ ଦୁହେଁ ଆହତ ହୋଇଥିଲେ । ତେଣୁ, ଭବିଷ୍ୟତରେ ସମ୍ଭାବ୍ୟ ବିପଦକୁ ଏଡାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।


