ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି । ମା’ଙ୍କ ଦର୍ଶନ କରିବା ନିମନ୍ତେ ମଧ୍ଯରାତ୍ରରୁ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଛି । ମା’ ତାରାତାରିଣୀ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ରାତ୍ର ୧ଟା୩୦ରେ ମନ୍ଦିର ଦ୍ଵାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ସହ ପଞ୍ଚଶୁତ୍ର ଅଭିଷେକ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେବାୟତମାନେ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୫.୩୦ରେ ସାହାଣ ମେଲା ହୋଇଥିଲା । ଭକ୍ତଙ୍କୁ ମହାଲକ୍ଷ୍ମୀ ରୂପରେ ଦର୍ଶନ ଦେଉଛନ୍ତି ଦୁଇଭଉଣୀ । ରାତ୍ର ୩ଟାରୁ ମୁଣ୍ଡନ କାର୍ଯ୍ଯ ଆରମ୍ଭ ହୋଇଥିଲା । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ ଲାଗି ଛୁଟିଆସିଥିବା ବେଳେ ମାନସିକଧାରୀମାନେ ନିଜ ନିଜ ଶିଶୁଙ୍କର ମୁଣ୍ଡନ କରାଇ ମା’ଙ୍କ ଆଶିର୍ବାଦ ନେଉଛନ୍ତି ।
ପାହାଡଉପରକୁ ସ୍ବତନ୍ତ୍ର ବସ, ରୋପୱେ ଓ ପାହାଛରେ ଭକ୍ତମାନେ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି । ଗଞ୍ଜାମ ଜିଲାପାଳ ଭି କିର୍ତ୍ତୀଭାସନ ଆସି ତଦାରଖକରିଥିବା ବେଳେ ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତକୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ, ଏସଡିପିଓ ସୁଜିତକୁମାର ନାୟକ, ଆଇଆଇସି କୁଳମଣି ସେଠୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରୁଛନ୍ତି ଭକ୍ତ ।

