Categories: ବାଣିଜ୍ୟ

କେମିତି କମିବ କୋଭିଡ୍‌ ପ୍ରଭାବ; ସୂତ୍ର ଦେଲା ଆଇଏମ୍‌ଏଫ୍‌

ଓ୍ବାଶିଂଶନ, ୧୨।୯ : ଭାରତର ଅଭିବୃଦ୍ଧି କ୍ଷେତ୍ରରେ କୋଭିଡ୍‌-୧୯ ମହାମାରୀ ଜନିତ ପ୍ରଭାବ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। କୋଭିଡ୍‌ ଝଟକା ଭାରତ ପାଇଁ ଅପ୍ରତ୍ୟାଶିତ। ବିଭିନ୍ନ ନୀତି ନିର୍ଦ୍ଧାରଣ ଦ୍ୱାରା ଏହି ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମୁଖପାତ୍ର ଗେରି ରାଇସ ଶୁକ୍ରବାର ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭାରତ ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛି ତାକୁ ଆଇଏମ୍‌ଏଫ୍‌ ସମର୍ଥନ କରୁଛି। ବିଶେଷକରି ନିମ୍ନ ଆୟକାରୀ ବର୍ଗ ଏବଂ ପରିବାରଗୁଡିକ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାବାଦ ନିୟାମକ ଏବଂ ନଗଦ ସହାୟତା ମଧ୍ୟ ହାତକୁ ନିଆଯାଇଛି। ସରକାର ପୁଣି ଆର୍ଥତ୍କ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ସମସ୍ୟାରେ ରହିଥିବା ପରିବାର ଏବଂ ବାଣିଜ୍ୟ ସଂସ୍ଥାଗୁଡିକୁ ସହାୟତା ସହ ସ୍ବାସ୍ଥ୍ୟ, ଖାଦ୍ୟ ସାମଗ୍ରୀ ଏବଂ ଆୟ ସହାୟତା ପ୍ରଦାନ ଦିଗରେ ଭାରତ ସରକାର ଧ୍ୟାନ କେନ୍ଦ୍ରିତ କରିବାକୁ ଆଇଏମ୍‌ଏଫ୍‌ର ଏକ ରିପୋର୍ଟରେ କୁହାଯାଇଛି।
ପ୍ରଥମ ତ୍ରୈମାସରେ ଭାରତର ଜିଡିପି ୨୩.୯% ଖସିଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତ ବଜାର ଅଭିବୃଦ୍ଧି ଋଣାତ୍ମକ ରହିବ ବୋଲି ପ୍ରମୁଖ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। କରୋନା ମହାମାରୀ ଏବଂ ଏହାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ ଭାରତ ବଜାରକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରିଛି ବୋଲି ରାଇସ କହିଛନ୍ତି। ବର୍ତ୍ତମାନ ଶିଳ୍ପ, ନିର୍ମାଣ, ମାନୁଫାକଚରିଂ, ହୋଟେଲ ଏବଂ ପରିବହନ କ୍ଷେତ୍ର ବିଶେଷ କ୍ଷତି ସାମ୍ନା କରିଛି। ନିକଟରେ ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ଅପ୍‌ଡେଟରେ କହିଥିଲା ଯେ, ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ୪.୫%ରୁ ୬% ପର୍ଯ୍ୟନ୍ତ ହ୍ରାସ ଘଟିବ। ସେହିଭଳି ଘରୋଇ ବଜାର ଲାଗି ଆଉଟଲୁକ୍‌କୁ ନେଇ ଏହା ଆଶଙ୍କା ପ୍ରକଟ କରିଛି। କାରଣ ମାନ୍ଦାବସ୍ଥା ପରେ ବଜାର ବର୍ତ୍ତମାନ କରୋନା ମାଡରେ ବେହାଲ ହୋଇପଡିଛି। ଏହି ସ୍ଥିତି କେବଳ ଭାରତରେ ନୁହେଁ, ସାରା ବିଶ୍ୱ ବଜାର ବର୍ତ୍ତମାନ ଚାପରେ ଚାଲିଛି। ଏହାକୁ ବିଚାରକରି କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ। ବିତ୍ତୀୟ ସ୍ବଚ୍ଛତା ଉପରେ ସରକାର ନଜର ରଖିବାକୁ ମଧ୍ୟ ଧ୍ୟାନଦେବାକୁ ହେବ। ଏହା ହେଲେ ବଜାରର ଆତ୍ମବିଶ୍ୱାସ ବଢିବ ବୋଲି ରାଇସ ମତ ଦେଇଛନ୍ତି।

Share