ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ କେତେ ଟଙ୍କା ମିଳେ? ଆସନ୍ତା ୧୫ ଅକ୍ଟୋବରରୁ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ ପେମେଣ୍ଟ ଉପରେ ୦.୪% ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR) ଲାଗୁ ହେବାକୁ ଯାଉଛି। ଏହି ନିୟମ ବିରୋଧରେ ଦାଏର ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସରକାର ଏବଂ RBIକୁ ପ୍ରଶ୍ନ କରିଛନ୍ତି ଯେ, ଏହି ବ୍ୟବସ୍ଥାରୁ କିଏ ଲାଭବାନ ହେଉଛି ଏବଂ ଏହା ଫି’ ନା ଟ୍ୟାକ୍ସ? ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ପ୍ରତ୍ୟେକ UPI ପେମେଣ୍ଟର ପ୍ରକୃତ ଆର୍ଥିକ ହିସାବ ବୁଝିବା ଜରୁରୀ ହୋଇପଡ଼ିଛି।

ଆପଣ UPI ଜରିଆରେ କୌଣସି ଦୋକାନରୁ ସାମଗ୍ରୀ କିଣନ୍ତୁ କିମ୍ବା କୌଣସି ସମ୍ପର୍କୀୟଙ୍କୁ ଟଙ୍କା ପଠାନ୍ତୁ, ଏହି ପ୍ରକ୍ରିୟାରୁ ଭାରତ ସରକାରଙ୍କ ରାଜକୋଷକୁ ସିଧାସଳଖ ଗୋଟିଏ ଟଙ୍କା ମଧ୍ୟ ଯାଏ ନାହିଁ। ସରକାର UPI ପେମେଣ୍ଟରୁ କୌଣସି ଟ୍ୟାକ୍ସ, ଫି’ କିମ୍ବା ରାଜସ୍ବ ଆୟ କରେ ନାହିଁ। ସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ପର୍ସନ-ଟୁ-ପର୍ସନ (P2P) ଅର୍ଥାତ୍‌ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ହେଉଥିବା ସମସ୍ତ ଡିଜିଟାଲ କାରବାର ସମ୍ପୂର୍ଣ୍ଣ ମାଗଣା ରହିଥାଏ। ମର୍ଚ୍ଚାଣ୍ଟ ପେମେଣ୍ଟ ଅର୍ଥାତ୍‌ ବ୍ୟବସାୟୀଙ୍କୁ ଦିଆଯାଉଥିବା ଟଙ୍କା ଉପରେ ଧାର୍ଯ୍ୟ ୦.୪% ପର୍ଯ୍ୟନ୍ତ MDR ଶୁଳ୍କର କୌଣସି ଅଂଶ ସରକାରୀ ରାଜକୋଷକୁ ଯାଏ ନାହିଁ। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା MDR ନା ଟ୍ୟାକ୍ସ, ନା ସେସ ଏବଂ ନା ସରଚାର୍ଜ। ଏହା ପ୍ରକୃତରେ ଡିଜିଟାଲ ଇନ୍ଫ୍ରାଷ୍ଟ୍ରକ୍ଚର ଚଳାଇବାର ଖର୍ଚ୍ଚ, ଯାହାକୁ ବ୍ୟାଙ୍କ ଏବଂ ଫିନ୍ଟେକ କମ୍ପାନୀଗୁଡ଼ିକ ପରିଚାଳନା କରନ୍ତି।

ସଂଗ୍ରହ ହେଉଥିବା ମୋଟ MDR ରାଶିର ୪୦% ଅଂଶ ଗ୍ରାହକଙ୍କ ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି, ସେହି ବ୍ୟାଙ୍କକୁ ଯାଏ। ଏହାପରେ ୩୦% ରାଶି ପେମେଣ୍ଟ ଗେଟୱେକୁ, ୨୦% ଅଂଶ UPI ସେବା ପ୍ରଦାନ କରୁଥିବା ମୋବାଇଲ ଆପ୍‌ରୁ ଏବଂ ବଳକା ୧୦% ରାଶି UPI ଆପ୍ର ସ୍ପନ୍ସର ବ୍ୟାଙ୍କକୁ ଦିଆଯାଏ। ଏହି ସମଗ୍ର ବ୍ୟବସ୍ଥାର ଉଦ୍ଦେଶ୍ୟ ବ୍ୟାଙ୍କ ଏବଂ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଯୋଗ୍ୟ ରଖିବା।

ନୂଆ ନିୟମ ଅନୁସାରେ, MDR ଶୁଳ୍କର ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ନୁହେଁ, ବରଂ ବଡ଼ ବ୍ୟବସାୟୀଙ୍କ ଆୟ ଉପରେ ପଡ଼ିବ। ଯେଉଁ ବ୍ୟବସାୟୀଙ୍କ ମାସିକ UPI କଲେକ୍ସନ ୧ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କୁ ୨,୦୦୦ ଟଙ୍କାରୁ ଅଧିକ ପ୍ରତ୍ୟେକ ପେମେଣ୍ଟ ଉପରେ ୦.୪% MDR ସହ GST ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ଛୋଟ ଦୋକାନୀଙ୍କୁ ଏହି ଶୁଳ୍କରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ଅର୍ଥାତ୍‌ ସେମାନଙ୍କ ଉପରେ ଶୂନ MDR ଲାଗୁ ହେବ। ବଡ଼ ବ୍ୟବସାୟୀଙ୍କ ପାଇଁ ମଧ୍ୟ ୨,୦୦୦ ଟଙ୍କା କିମ୍ବା ତା’ଠାରୁ କମ ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା ରହିବ। ପ୍ରଶାସନିକ ନିୟମ ଅନୁସାରେ, କୌଣସି ଛୋଟ ବ୍ୟବସାୟୀ କ୍ରମାଗତ ୩ ମାସ ପର୍ଯ୍ୟନ୍ତ UPI ଜରିଆରେ ୧ ଲକ୍ଷ ଟଙ୍କାରୁ ଅଧିକ ରାଶି ଗ୍ରହଣ କଲେ, ବ୍ୟାଙ୍କ ତାଙ୍କୁ ସ୍ବୟଂଚାଳିତ ଭାବେ ବଡ଼ ମର୍ଚ୍ଚାଣ୍ଟ ବର୍ଗରେ ସାମିଲ କରିବ। ଏହାପରେ ତାଙ୍କ ଉପରେ ଏହି ନିୟମ ଲାଗୁ ହେବ।

ତେବେ ବଡ଼ ଟ୍ରାଞ୍ଜାକ୍ସନ କରୁଥିବା ଦୋକାନୀଙ୍କୁ ରିହାତି ଦେବା ପାଇଁ ସର୍ବାଧିକ ଶୁଳ୍କର ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ଯଦି କୌଣସି ବ୍ୟବସାୟୀଙ୍କୁ ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକର ଗୋଟିଏ ପେମେଣ୍ଟ ମିଳେ, ତେବେ ପ୍ରତିଶତ ହିସାବରେ ନୁହେଁ, ସର୍ବାଧିକ ୩୦୦ ଟଙ୍କା ଏବଂ ଏହା ଉପରେ ଲାଗୁଥିବା GST ଆଦାୟ କରାଯିବ। ଧ୍ୟାନ ଦିଅନ୍ତୁ, ୨,୦୦୦ ଟଙ୍କାର ଏହି ସୀମା ଦୈନିକ ମୋଟ ବିକ୍ରି ଉପରେ ନୁହେଁ, ବରଂ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପାଇଁ ଅଲଗା ଭାବେ ବିଚାର କରାଯିବ।

Dharitri – Odisha’s No.1 Odia Daily

Share