Categories: ଖେଳ

ଆଇପିଏଲ୍‌ରେ ଟଙ୍କା ବର୍ଷା: କେଉଁ ଟିମ୍‌କୁ ମିଳିଲା କେତେ

ଅହମଦାବାଦ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩(ଆଇପିଏଲ୍‌)ର ୧୬ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଟାଇଟଲ ହାସଲ କରିଛି। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ଉଇକେଟରେ ପରାସ୍ତ କରିଛି। ରବିବାର ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ନ ଥିବାରୁ ସୋମବାର ରିଜର୍ଭ ଦିବସରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ହେଲେ ସୋମବାର ମଧ୍ୟ ବର୍ଷା ହେବାରୁ ମ୍ୟାଚ୍‌ ଅଧାରୁ ବନ୍ଦ ରହିଥିଲା। ବର୍ଷା ଛାଡ଼ିବାପରେ ରାତି ୧୨ଟା ୧୦ରେ ଖେଳ ଆରମ୍ଭ ହୋଇଥିଲା। ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଚେନ୍ନାଇ ଆଗରେ ୧୫ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଶେଷ ଓଭରର ଚେନ୍ନାଇକୁ ବିଜୟ ପାଇଁ ୧୩ ରନ୍‌ର ଆବଶ୍ୟକ ହେଉଥିଲା। ପ୍ରଥମ ୪ଟି ବଲ୍‌ରୁ ମାତ୍ର ୩ ରନ୍‌ ଆସିଥିଲା। ମାତ୍ର ୫ମ ବଲ୍‌କୁ ଛକା ଏବଂ ୬ଷ୍ଠ ବଲ୍‌କୁ ଚୌକାରେ ପରିଣତ କରି ରବୀନ୍ଦ୍ର ଜାଡେଜା ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏହାପରେ ଚେନ୍ନାଇର ବିଜୟ ଉତ୍ସବ ଆରମ୍ଭ ହୋଇଯାଇଥିଲା। ବିଜୟ ପରେ ଚେନ୍ନାଇକୁ ପୁରସ୍କାର ସ୍ବରୁପ ୨୦ କୋଟି ଟଙ୍କା ମିଳିଛି। ଏପରି କି ପରାଜୟ ସତ୍ତ୍ୱେ ଗୁଜରାଟ ୧୩ କୋଟି ଟଙ୍କା ଦିଆଯାଇଥିବା ବେଳେ ୩ ନମ୍ବର ସ୍ଥାନରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ୭ କୋଟି ଟଙ୍କା ମିଳିଛି। ସେହିପରି ଲକ୍ଷୌ୍ନ ସୁପର ଜିଆଣ୍ଟସ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଦଳକୁ ୬.୬ କୋଟି ଟଙ୍କା ମିଳିଛି। ସେହିପରି ସେସନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।

କିଏ କେତେ ପୁରସ୍କାର ରାଶି ପାଇଲେ

ଚେନ୍ନାଇ ସୁପର କିଙ୍ଗ୍ସ (ଚାମ୍ପିୟନ)- ୨୦ କୋଟି ଟଙ୍କା

ଗୁଜରାଟ ଟାଇଟନ୍ସ (ରନର୍‌ ଅପ)- ୧୩ କୋଟି ଟଙ୍କା

ମୁମ୍ବାଇ ଇଣ୍ଡିଆନ୍ସ (ତୃତୀୟ ସ୍ଥାନ)- ୭ କୋଟି ଟଙ୍କା

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଚତୁର୍ଥ ସ୍ଥାନ) – ୬.୫ କୋଟି ଟଙ୍କା

Share