Categories: ଫୁରସତ

ମାର୍ଭେଲକୁ ବଞ୍ଚାଇଥିଲା ଆଇରନ ମ୍ୟାନ୍‌

ଆଇରନ ମ୍ୟାନ୍‌ ହେଉ କି, ସ୍ପାଇଡରମ୍ୟାନ୍‌, ହଲ୍‌କ, କ୍ୟାପଟେନ୍‌ ଆମେରିକା ଭଳି ସୁପର ହ୍ୟୁମାନ ଭଳି କାଳ୍ପନିକ କାହାଣୀ ଓ ଚରିତ୍ର ଉପରେ ଫିଲ୍ମ ନିର୍ମାଣ କରୁଥିବା ମାର୍ଭେଲ ବିଷୟରେ କିଏ ବା ନ ଜାଣେ। ମୁଖ୍ୟତଃ ଯୁବ ପିଢ଼ିଙ୍କ ମଧ୍ୟରେ ମାର୍ଭେଲର ପ୍ରତ୍ୟେକ କ୍ୟାରେକ୍ଟର ବେଶ୍‌ ଲୋକପ୍ରିୟ। ହେଲେ ବିଶ୍ୱର ସବୁଠୁ ବଡ଼ ଫିଲ୍ମ ନିର୍ମାଣକାରୀ କମ୍ପାନୀକୁ ବଞ୍ଚାଇଥିଲା ଫିଲ୍ମ ‘ଆଇରନ ମ୍ୟାନ’। ହଁ ରର୍ବଟ ଡାଉନି ଜୁନିୟରଙ୍କ ଅଭିନୀତ ଫିଲ୍ମ।

ପ୍ରାୟ ୨୪ ବର୍ଷ ତଳେ ଅର୍ଥାଥ ୧୯୯୬ ମସିହାରେ ମାର୍ଭେଲ କମ୍ପାନୀ ବୁଡ଼ିବା ଉପରେ ଥାଏ। ସେତେବେଳେ ସୁପର ହ୍ୟୁମାନ କମିକ୍ସ ପାଇଁ ବେଶ୍‌ ଜଣାଶୁଣା ଥିଲା ମାର୍ଭେଲ। ମାତ୍ର ନିବେଶକଙ୍କ ମଧ୍ୟରେ ବିବାଦ ଯୋଗୁ ମାର୍ଭେଲର ଭବିଷ୍ୟତ ଘେରି ହୋଇଯାଇଥିଲା ଆଶଙ୍କାରେ। ଯେକୌଣସି ମତେ ୨୦୦୮ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା ଏହି ଫିଲ୍ମ ନିର୍ମାତା କମ୍ପାନୀ। ଦୀର୍ଘ ୧୨ ବର୍ଷ ଧରି ତିଷ୍ଠି ରହିବା ପାଇଁ କମ୍ପାନୀକୁ ବିକିବାକୁ ପଡ଼ିଥିଲା ସ୍ପାଇଡର ମ୍ୟାନ (sony), ଏକ୍ସ-ମେନ ଓ ଫାଣ୍ଟାଷ୍ଟିକ୍‌ ଫୋର (20th century fox) ଭଳି ଫିଲ୍ମର ରାଇଟ୍ସ। ଏଥିରୁ ଆଖିଦୃଶିଆ ଲାଭ ମିଳିଲା ନାହିଁ। ଆଇରନ ମ୍ୟାନର ଷ୍ଟୋରି ବିକ୍ରି ପାଇଁ ଘୁରି ବୁଲିଥାଏ ଷ୍ଟୁଡିଓରୁ ଷ୍ଟୁଡିଓ।

୨୦୦୮ରେ କମ୍ପାନୀ ତା’ର ସମସ୍ତ ପୁଞ୍ଜି ଖଟାଇ ଉଠାଇଥିଲା ବଡ଼ ରିସ୍କ। ଏହାପରେ ରିଲିଜ ହୋଇଥିଲା ମାର୍ଭେଲ ସିନେମାଟିକ୍‌ ୟୁନିଭର୍ସ (MCU)ର ପ୍ରଥମ ଫିଲ୍ମ ‘ଆଇରନ ମ୍ୟାନ’। ଏହି ଫିଲ୍ମ ଉପରେ ଲାଗିଯାଇଥିଲା କମ୍ପାନୀର ସବୁକିଛି। ଫଲ୍ମ ଫେଲ ହୋଇଥିଲେ ମାର୍ଭେଲ ହାତରୁ ଚାଲିଯାଇଥାନ୍ତା ଆଣ୍ଟ ମ୍ୟାନ, ବ୍ଲାକ ପାନ୍ଥର, ଡକ୍ଟର ଷ୍ଟ୍ରେଞ୍ଜ ଓ ଆଭେଞ୍ଜର୍ସ ଭଳି କ୍ୟାରେକ୍ଟର। ତେବେ ଏହି ଫିଲ୍ମ ପୂରା ବିଶ୍ୱରେ ସାବ୍ୟସ୍ତ ହୋଇଥିଲା ବଡ଼ ହିଟ୍‌। ଏହା ଡାଉନିଙ୍କୁ ଦେଇଥିଲା ରାତାରାତି ସୁପରଷ୍ଟାରର ପରିଚୟ । ୧୩୦ ନିୟୁତ ବଜେଟରେ ନିର୍ମିତ ଫିଲ୍ମ ଆୟ କରିଥିଲା ୫୮୫.୩ ନିୟୁତ ଆମେରିକୀୟ ଡଲାର। ଆଉ ଏହି ଫିଲ୍ମ ଯୋଗୁ ଦେବାଳିଆ ହେବାରୁ ବର୍ତ୍ତି ଯାଇଥିଲା ମାର୍ଭେଲ। ଏହାପରେ ମାର୍ଭେଲର ପ୍ରତ୍ୟେକ ଫିଲ୍ମ ସୃଷ୍ଟି କରିଥିଲା ଇତିହାସ।

Share