ଭୁବନେଶ୍ୱର,୨୩।୬: ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, କହିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଅପରେଶନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରେମ୍। ସେ ସୁସ୍ଥ ଅଛନ୍ତି । ହସ୍ପିଟାଲରେ ସାମାନ୍ୟ ଚଲାବୁଲା କରୁଛନ୍ତି ବୋଲି ପ୍ରେମ ପଟ୍ଟନାୟକ କହିଛନ୍ତି।
ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା କାମନା କରିଥିଲେ।
ନବୀନ ଆହୁରି ଲେଖିଥିଲେ, “ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।” ଏହି ପୋଷ୍ଟ ମାଧ୍ୟମରେ ସେ ନିଜର ସ୍ୱାସ୍ଥ୍ୟଗତ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି ଖବର ଓଡ଼ିଶାରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଅନେକ ସମର୍ଥକ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।


