ନୂଆଦିଲ୍ଲୀ,୧୯।୮:ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଉଭୟ ନେତା ବର୍ତ୍ତମାନର ବିଶ୍ୱ ପରିସ୍ଥିତି, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୈତିକ ସହଭାଗୀତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପ୍ରତିକ ଆଲୋଚନା ବିଷୟରେ ସୂଚନା ମଧ୍ୟ ଦେଇଥିଲେ। ଏହି ଆଲୋଚନା ଏକ ସାଧାରଣ ଫୋନ କଲ ରେ ହୋଇ ନ ଥିଲା ବରଂ ଏକ ସୱତନ୍ତ୍ର ହଟ ଲାଇନରେ ହୋଇଥିଲା ଯାହା କେବଳ ଜରୁରୀକାଳୀନ ଏବଂ ଗୋପନୀୟ ଯୋଗାଯୋଗ ପାଇଁ ଶୀର୍ଷ ନେତାମାନଙ୍କୁ ଉପଲବ୍ଧ କରାଯାଇଛି। ତେଣୁ ଆସନ୍ତୁ ଜାଣିବା ଯେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ଦେଶର ମୁଖ୍ୟଙ୍କ ସହ ନମ୍ବର ଡାଏଲ ନକରି କିପରି କଥା ହୁଅନ୍ତି ଏବଂ ଏହି ହଟ ଲାଇନ କ’ଣ।
ହଟ ଲାଇନ ଏକ ସିଧାସଳଖ ଯୋଗାଯୋଗ ଲିଙ୍କ। ଏଥିରେ କୌଣସି ନମ୍ବର ପାଇବାର ଆବଶ୍ୟକତା ନାହିଁ କିମ୍ବା କୌଣସି ତୃତୀୟ ମାଧ୍ୟମ ଜଡିତ ନୁହେଁ। ଏଥିରେ, ରିସିଭର ଉଠାଇବା ମାତ୍ରେ ଲାଇନଟି ସିଧାସଳଖ ର୍ନିଦ୍ଦିଷ୍ଟ ଯୋଗାଯୋଗ ସହିତ ସଂଯୋଗ ହୋଇଯାଏ। ଏହି ସୁବିଧା ସମ୍ପୂର୍ଣ୍ଣ ଗୋପନୀୟ ଏବଂ ସୁରକ୍ଷିତ।
ଭାରତ ଏବଂ ରୁଷ ମଧ୍ୟରେ ଦୀର୍ଘ ସମୟ ଧରି ହଟ ଲାଇନ ବ୍ୟବହାର ହୋଇଆସୁଛି। ଏହି ବ୍ୟବସ୍ଥା ୧୯୯୫ ମସିହାରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା। ସେବେଠାରୁ, ସଙ୍କଟ ସମୟରେ, ନେତାମାନେ ଏହି ମାଧ୍ୟମରେ ତୁରନ୍ତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କ ମଧ୍ୟରେ ସାମ୍ପ୍ରତିକ ଆଲୋଚନା ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ହୋଇଥିଲା।
ଭାରତ କେବଳ ରୁଷ ସହିତ ନୁହେଁ ବରଂ ଅନ୍ୟ ଦେଶ ସହିତ ମଧ୍ୟ ହଟ ଲାଇନ ସ୍ଥାପନ କରିଛି। ୧୯୭୧ ଯୁଦ୍ଧ ପରେ, ପରମାଣୁ ଏବଂ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ବଜାୟ ରଖିବା ପାଇଁ ଭାରତ ପାକିସ୍ତାନ ସହିତ ଏକ ହଟ ଲାଇନ ସିଷ୍ଟମ ଆରମ୍ଭ କରିଥିଲା। ଏହା ବ୍ୟତୀତ, ଭାରତ ଚୀନ ସହିତ ମଧ୍ୟ ଏକ ହଟ ଲାଇନ ସିଷ୍ଟମ ରଖିଛି। ରାଜନୈତିକ ଏବଂ ସୁରକ୍ଷା ସହଯୋଗ ପାଇଁ ଭାରତ ୨୦୧୫ ମସିହାରୁ ଆମେରିକା ସହିତ ଏକ ହଟ ଲାଇନ ସିଷ୍ଟମ ମଧ୍ୟ ଆରମ୍ଭ କରିଛି।
ହଟ ଲାଇନକୁ ଯେକୌଣସି ଦେଶର କୂଟନୈତିକ ପ୍ରସ୍ତୁତି ଏବଂ ର୍ନିଭରଯୋଗ୍ୟ ସହଭାଗୀତାର ଏକ ଅଂଶ ଭାବରେ ବିବେଚନା କରାଯାଏ। ସଙ୍କଟ କିମ୍ବା ଜରୁରୀକାଳୀନ ସମୟରେ, ଏପରି ସିଧାସଳଖ ଆଲୋଚନା ବିବାଦକୁ ଏଡାଇବା ଏବଂ ସମ୍ପର୍କକୁ ଦୃଢ଼ ରଖିବାରେ ସାହାଯ୍ୟ କରେ।

