Categories: ଫୁରସତ

କାନରେ କେତେ ବଡ଼ କଣା

ଟାଟୁକୁ ନେଇ ଲୋକଙ୍କ ଭିତରେ ବଢୁଥିବା ପାଗଳପଣର ନଜିର ବହୁତ ଦେଖିବାକୁ ମିଳୁଛି। ତା’ସହ ବଡି ମୋଡିଫିକେଶନ କରାଉଥିବା ଲୋକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଆମେରିକାର ବିୟାଙ୍କା ଫେରୋ ନାମ୍ନୀ ଯୁବତୀ ଏହି ଟ୍ରେଣ୍ଡରେ ନିଜକୁ ସାମିଲକରି ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। କେବଳ ଯେ ସେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଛନ୍ତି ତାହା ନୁହେଁ, ପିୟର୍ସିଂ ଓ ବଡି ମୋଡିଫିକେଶନ ବି କରାଇଛନ୍ତି। ଏହି ବଡି ମୋଡିଫିକେଶନ ଭିତରେ କାନଫଳିରେ ବଡ଼ କଣା କରିବା ଅନ୍ୟତମ। ଏବେ ତାଙ୍କ କାନ ଫଳିର କଣାର ଲମ୍ବ ୩.୩ ଇଞ୍ଚ ଅଛି। ସେ ଏହାକୁ ଆହୁରି ବଡ଼ କରିବାକୁ ଚାହୁଁଛନ୍ତି, ଯେମିତିକି ସବୁଠୁ ବଡ଼ କାନଫଳି କଣାର ରେକର୍ଡ ତାଙ୍କ ନାମରେ ହେବ। ଏହି ରେକର୍ଡ ଏବେ ଯାହା ନାମରେ ଅଛି ତାଙ୍କ କାନଫଳିର କଣା ୪ ଇଞ୍ଚର । ବିୟାଙ୍କା ଚେଷ୍ଟା ଚଳାଇଛନ୍ତି ତାଙ୍କ କାନଫଳିର କଣାକୁ ୪ ଇଞ୍ଚରୁ ଅଧିକ କରି ସେହି ରେକର୍ଡ ନିଜ ନାମରେ କରାଇବାକୁ। ତେବେ ତାଙ୍କ ମାତାପିତା ଟାଟୁ କରାଇବାର ଶକ୍ତ ବିରୋଧୀ ଥିଲେ। ତଥାପି ବିୟାଙ୍କା ୧୬ ବର୍ଷ ବୟସରେ ମା’ଙ୍କୁ ଅନେକ ବୁଝାଇ ଶରୀରରେ ପ୍ରଥମ ଟାଟୁ କରାଇବାର ଅନୁମତି ପ୍ରାପ୍ତ କରିଥିଲେ। ଆଉ କହିଥିଲେ ସେ ସେହି ଟାଟୁ ଏମିତି ସ୍ଥାନରେ କରିବେ ଯାହାକୁ କି ତାଙ୍କ ବାପା ଦେଖିପାରିବେ ନାହିଁ। ଆଉ ସେହିଭଳି ଏକ ଟାଟୁ ସେ ପ୍ରଥମେ ନିଜ ଶରୀରରେ କରିଥିଲେ। ପ୍ରଥମ ଟାଟୁ ପରେ ଟାଟୁ ନିଶା ତାଙ୍କର ବଢ଼ିଯାଇଥିଲା। ଆଉ ବାପାଙ୍କୁ ବହୁ ଅନୁରୋଧ କରି ସେ ଦ୍ୱିତୀୟ ଟାଟୁ କରିଥିଲେ। ପରେ ଏହି ନିଶା ଏତେ ବଢ଼ିଗଲା ଯେ ଅନେକ ଟାଟୁ ସହ ବଡି ମୋଡିଫିକେଶନ୍‌ ବି କଲେ। ଆଉ ଏବେ ସେ କାନଫଳିରେ ବଡ଼ କଣାର ରେକର୍ଡ କରିବାକୁ ପ୍ରୟାସ କରୁଛନ୍ତି।

 

 

Share