ଫୁଲବାଣୀ ଅଫିସ, ୯ା୪(ରାକେଶ କୁମାର ରାଉତ): ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ଜିଲାସ୍ତରୀୟ ସମୀକ୍ଷା କରିଛନ୍ତି। ଜିଲା ପରିଷଦ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ସେ ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଛନ୍ତି। ବିଶେଷ କରି ଜିଲାର ପୌର ପରିଷଦ ଏବଂ ଏନ୍ଏଏସି ଅଞ୍ଚଳକୁ ସମ୍ପୂର୍ଣ୍ଣ ନବ କଳେବର କରାଯାଇ ସ୍ବଚ୍ଛତା ଉପରେ ଦୃଷ୍ଟି ଦିଆଯିବ। ପ୍ରତ୍ୟେକ ଲୋକଙ୍କୁ କିପରି ପାନୀୟ ଜଳ ମିଳିବ ସେଥିନେଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ମନ୍ତ୍ରୀ ପ୍ରଥମେ ଫୁଲବାଣୀରେ ପହଞ୍ଚତ୍ବା ପରେ ଦଳୀୟ ସମର୍ଥକମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ତ୍ରୀ, ଏମ୍ପି, ଫୁଲବାଣୀ ବିଧାୟକ, ଜିଲାପାଳ ଏବଂ ଅନ୍ୟ କେତେ ଜଣ ଅଧିକାରୀଙ୍କୁ ଧରି ସହର ବୁଲି ଦେଖିଥିଲେ। ସହରର ସ୍ବଚ୍ଛତା ଅବସ୍ଥା ଦେଖି ପୌର ପରିଷଦ ସଫେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଡାକି ଏନେଇ ପଚାରି ଅସନ୍ତୋଷ ପ୍ରକାଶ କରିଥିଲେ। ସ୍ବଚ୍ଛତା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସିକୁ କଳା ତାଲିକାଭୁକ୍ତ କରାଯିବ ବୋଲି ସେ କହିଥିଲେ।ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଯେପରି ସବୁସ୍ତରର ଲୋକଙ୍କ ପାଖରେ ପହଞ୍ଚତ୍ବ ସେଥିପାଇଁ ଅଧିକାରୀମାନେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଯେଉଁମାନେ ଖିଲାପ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ମନ୍ତ୍ରୀଙ୍କୁ ଜିଲାରେ ଚାଲିଥିବା ଡିଜିଟାଲ କ୍ଲାସ ରୁମ, ଗେଣ୍ଡୁ ଫୁଲ ଚାଷ, ବିଷୟରେ ଅବଗତ କରାଇଥିଲେ। ଜିଲା ମୁଖ୍ୟାଳୟରେ ୧ହଜାର ଲୋକ ବସିବା କ୍ଷମତା ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବୈଠକରେ କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଜିଲାପାଳ ଅମ୍ରିତ ଋତୁରାଜ, ବାଲିଗୁଡା ଉପ ଜିଲାପାଳ ଡା. ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


