ଡକାୟତି ବେଳେ ଗୁଳିମାଡ଼ରେ ଘର ମାଲିକଙ୍କ ପୁଅ ଗୁରୁତର

କୋକସରା,୨୮।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା କାଶିବାହଲ ଗାଁ ଚଞ୍ଚରାପଡାରେ ଏକ ଲୁଟ୍‌ ହୋଇଛି। ଗାଁରେ ରହୁଥିବା ଋଷିମଣି ପୂଝାରି (୪୫)ଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ୧୦ରୁ ୧୨ ମୁଖାପିନ୍ଧା ଦୁବୃର୍ତ୍ତ ଘର କବାଟ ଭାଙ୍ଗି ଘରେ ପଶି ପରିବାରଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କର ଲୁଟ୍‌ପାଟ କରିଥିବା ଜଣାପଡ଼ଇଛି। ଏପରିକି ଦୁର୍ବୃତ୍ତମାନେ ଘର ମାଲିକଙ୍କ ପୁଅ ରୋହନ(୧୫)ଙ୍କ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲେ। ଗୁଳିଟି ରୋହନଙ୍କ ହାତରେ ବାଜିଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କକୁ ଅଚଳ କରି ଏହି କାଣ୍ଡ ଭିଆଇଥିଲେ। ତେବେ ଦୁର୍ବୃତ୍ତମାନେ ଘରୁ ୩ଟି ମୋବାଇଲ, ୧୫ଶହ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିବା ଘର ମାଲିକ ଋଷିମଣି ପୂଝାରି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗୁରୁତର ରୋହନଙ୍କୁ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ସବ୍‌ଇନ୍ସପେକ୍ଟର ହେମନ୍ତ ପାତ୍ର ପହଞ୍ଚି ପାରିପାଶର୍‌ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଧର୍ମଗଡ ଏସଡିପିଓଙ୍କୁ ସୂଚନା ଦେଇଛନ୍ତି। ଏହାପରେ ଏସଡିପିଓ ଓ ଜୁନାଗଡ଼ ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁର ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘର ମାଲିକଙ୍କ ବୟାନ ଅନୁସାରେ, ଦୁର୍ବୃତ୍ତମାନେ ହିନ୍ଦୀ ଏବଂ ଓଡ଼ିଆରେ କଥା ହେଉଥିଲେ। ସେମାନେ ବୁଲା ବିକାଳି ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏନେଇ କୋକସରା ଥାନା ଏକ ମାମଲା ନମ୍ବର ୧୭୮/୨୨ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ସୂଚନା ଦେଇଛନ୍ତି।