Categories: କୋରାପୁଟ

ଭଡାଟିଆଙ୍କଠାରୁ ୪.୫ ଲକ୍ଷ ଠକି ବନ୍ଧା ହେଲେ ଘରମାଲିକ

ବୋରିଗୁମ୍ମା,୧୨ା୧୦ (ଡି.ଏନ.ଏ. )-କୋରାପୁଟ ଜିଲା ବୋରିଗୁମ୍ମା ସହରରେ ଜଣେ ଘର ମାଲିକ ନିଜ ଘରେ ଭଡା ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଘର ମାଲିକଙ୍କୁ ଗିରଫ କରାଯାଇଛି।
ଖବରରୁ ଜଣାପଡିଛି, ସନିଆ ନାହାକ ବୋରିଗୁମ୍ମା ସହରର ଉମା ଶଙ୍କର ପାଣିଗ୍ରାହୀଙ୍କ ଘରେ ଭଡାରେ ରହୁଛନ୍ତି। ସନିଆଙ୍କ ଫ୍ୟାନ, ଗ୍ରାଇଣ୍ଡର ଓ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ମରାମତି ଦୋକାନ ରହିଛି। ଘର ମାଲିକ ଉମା ଶଙ୍କର ମଧ୍ୟ ଏକ ବ୍ୟବସାୟ କରୁଥିଲେ। ବ୍ୟବସାୟରେ ଟଙ୍କା ଦରକାର ପଡିବାରୁ ୨୦୧୮ରେ ସେ ସନିଆଙ୍କୁ ଟଙ୍କା ଧାର ମାଗିଥିଲେ। ପ୍ରଥମେ ସନିଆ ଟଙ୍କା ଧାର ଦେବାକୁ ମନା କରିଥିଲେ। ତେବେ ପରେ ସେ ଉମାଶଙ୍କରଙ୍କ କଥାବାର୍ତ୍ତାରେ ରାଜି ହୋଇଥିଲେ। ପ୍ରଥମେ କିସ୍ତିରେ ୧ ଲକ୍ଷ, ୨ୟ କିସ୍ତିରେ ୧ ଲକ୍ଷ ୫୦ ହଜାର ଏବଂ ଶେଷରେ ୨ ଲକ୍ଷ ଟଙ୍କା ସନିଆଠାରୁ ଉମାଶଙ୍କର ନେଇଥିଲେ। ପରେ ସନିଆ ଘର ମାଲିକ ଉମାଶଙ୍କରଙ୍କୁ ଟଙ୍କା ମାଗିବାରୁ ଦେବି ଦେବି କହି ସେ ଏଯାଏ ସମୟ ଗଡାଇ ଆସିଲେ। ଶେଷରେ ସନିଆ ଥାନାର ଦ୍ୱାରସ୍ଥ ହୋଇ ଉମାଶଙ୍କରଙ୍କ ନାମରେ ଏତଲା ଦେଇଥିଲେ। ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କେସ ନମ୍ବର ୧୩୮/୨୦ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଘରମାଲିକ ଉମାଶଙ୍କରଙ୍କୁ ଗିରଫ କରିଥିଲେ। ଉମାଶଙ୍କର ଏପରି ଅନେକ ବ୍ୟକ୍ତିଙ୍କଠାରୁ ଟଙ୍କା ଠକି ନେଇଥିବା ତଦନ୍ତ ବେଳେ ଜଣାପଡିଛି ବୋଲି ଆଇଆଇସି ମଣ୍ଡଳ କରିଛନ୍ତି।